
ନୂଆଦିଲ୍ଲୀ, ୨୬/୧୦ : ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର (ଏନସିଆର)ରେ ବାୟୁ ପ୍ରଦୂଷଣ ମାତ୍ରା ଅନୁଧ୍ୟାନ କରାଯାଇଛି ।
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ପି.କେ ମିଶ୍ର ଗତକାଲି ସନ୍ଧ୍ୟାରେ ଉଚ୍ଚସ୍ତରୀୟ ଟାସ୍କଫୋର୍ସର ସମସ୍ତ ଅଂଶୀଦାରଙ୍କୁ ନେଇ ଏକ ବୈଠକରେ ଏ ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରିଛନ୍ତି । ବାୟୁର ଗୁଣବତ୍ତା ଯେପରି ଅଧିକ ହ୍ରାସ ନପାଇବ ସେଥିପ୍ରତି ତ୍ୱରିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ପ୍ରଭାବୀ ଢଙ୍ଗରେ ଫସଲ ବର୍ଜ୍ୟ ଜାଳିବା ଉପରେ କଟକଣା ଜାରି କରିବା ଲାଗି ପଞ୍ଜାବ ଓ ହରିୟାଣା ସରକାରଙ୍କୁ ପ୍ରମୁଖ ସଚିବ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଚାଷୀଙ୍କୁ ଫସଲ ବର୍ଜ୍ୟ ଜାଳିବାରୁ ରୋକିବା ନିମନ୍ତେ ପ୍ରଶାସନିକ କଳକୁ ସକ୍ରିୟ କରିବା ଲାଗି ଦୁଇ ରାଜ୍ୟର ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ପ୍ରତିଶ୍ରୁତି ଦେଇଛନ୍ତି । ଯାହା ଫଳରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ହ୍ରାସ ପାଇବ । ଏହାଛଡ଼ା ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପାଣ୍ଠି ବିନିଯୋଗ କରି ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ଉପରୋକ୍ତ ଦୁଇ ରାଜ୍ୟକୁ କୁହାଯାଇଛି । ଏହି ବୈଠକରେ ଦିଲ୍ଲୀ ସରକାର, ଦିଲ୍ଲୀର ବିଭିନ୍ନ ମହାନଗର ନିଗମ କର୍ତ୍ତୃପକ୍ଷ, ଆଇଆଇଟି, ଟିଇଆରଆଇ ଏବଂ ବିଭିନ୍ନ ମନ୍ତ୍ରଣାଳୟର ବିଶେଷଜ୍ଞମାନେ ଉପସ୍ଥିତ ଥିଲେ । ଧୂଳି ପ୍ରଦୂଷଣ, ନିର୍ମାଣ ଓ ଭଗ୍ନ ପ୍ରକ୍ରିୟାରୁ ସୃଷ୍ଟ ଆବର୍ଜନା ଏବଂ ଶିଳ୍ପ ଓ ବାହନଜନିତ ପ୍ରଦୂଷଣକୁ ତୁରନ୍ତ ନିୟନ୍ତ୍ରଣ କରିବା ଲାଗି ପ୍ରମୁଖ ସଚିବ ନିର୍ଦ୍ଦିଷ୍ଟ ଭାବେ ଆଦେଶ ଦେଇଥିଲେ । ନିର୍ଦ୍ଧାରିତ ସମୟ ସୁଦ୍ଧା ଏ ସମସ୍ତ କାର୍ୟ୍ୟ ସମ୍ପାଦନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଆହୁରି ପ୍ରଦୂଷଣ ନିୟମ ଉଲ୍ଲଙ୍ଘନ କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଥିଲେ । ତୁରନ୍ତ ଜନସାଧାରଣଙ୍କ ଅଭିଯୋଗ ଉପରେ ପଦକ୍ଷେପ ନେଇ ଛୋଟରୁ ଛୋଟ ଅଗ୍ନିକାଣ୍ଡ, ଆବର୍ଜନା ଆଦିକୁ ନିୟନ୍ତ୍ରଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଦିଲ୍ଲୀରେ ବାୟୁର ଗୁଣବତ୍ତା ବୃଦ୍ଧି ଲାଗି ଭାରତ ସରକାର ନିରନ୍ତର ଭାବେ ପ୍ରୟାସ କରିଆସୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ତତ୍ୱାବଧାନରେ ୨୦୧୫ରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ)ର ଶୁଭାରମ୍ଭ କରାଯାଇଥିଲା । ଆଜି ସୁଦ୍ଧା ଦିଲ୍ଲୀ ଏନସିଆର କ୍ଷେତ୍ରରେ ୧୧୩ଟି ଏକ୍ୟୁଆଇ ନିରୀକ୍ଷଣ ଷ୍ଟେସନ ପ୍ରତିଷ୍ଠା କରାଯାଇଛି । ଆହୁରି ୨୯ଟି ଏପରି ଷ୍ଟେସନ ପ୍ରତିଷ୍ଠା କରାଯିବ ।
ସ୍ରୋତ-ପିଆବି



