Wednesday, July 22, 2026
Home ଜାତୀୟ ରାଜଗିରଠାରେ ବିଶ୍ଵ ଶାନ୍ତି ସ୍ତୁପର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ସମ୍ବୋଧିତ କଲେ ରାଷ୍ଟ୍ରପତି

ରାଜଗିରଠାରେ ବିଶ୍ଵ ଶାନ୍ତି ସ୍ତୁପର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ସମ୍ବୋଧିତ କଲେ ରାଷ୍ଟ୍ରପତି

24

ନୂଆଦିଲ୍ଲୀ, ୨୬/୧୦ : ବିହାରର ରାଜଗିରଠାରେ (୨୫ ଅକ୍ଟୋବର, ୨୦୧୯) ବିଶ୍ୱ ଶାନ୍ତି ସ୍ତୁପର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆୟୋଜିତ ସମାରୋହକୁ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ସମ୍ବୋଧିତ କରିଛନ୍ତି ।
ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ, ବିଶ୍ୱ ଶାନ୍ତି ସ୍ତୁପ ଏକତା, ଶାନ୍ତି ଓ ଅହିଂସାର ପ୍ରତୀକ । ଏହାର ବାର୍ତ୍ତା ଏପରି ଭାବେ ପରିବ୍ୟାପ୍ତ ଯାହା ସଂସ୍କୃତି, ଧର୍ମ ଏବଂ ଭୌଗଳିକ ସୀମା ମଧ୍ୟରେ ଆବଦ୍ଧ ହୋଇ ରହିନାହିଁ । ଏହା ଜାପାନ ଓ ଭାରତ ଭଳି ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ଭାଗିଦାରୀ ଏବଂ ବ୍ୟାପକ ସହଯୋଗକୁ ମଧ୍ୟ ଦର୍ଶାଉଛି । ଶ୍ରୀ କୋବିନ୍ଦ କହିଥିଲେ ଯେ, ଭଗବାନ ବୁଦ୍ଧଙ୍କ ଅଷ୍ଟାଙ୍ଗ ମାର୍ଗ ଦର୍ଶନ କେବଳ ଆଧ୍ୟାତ୍ମିକ ଜଗତରେ ବିରାଟ ପରିବର୍ତ୍ତନ ଆଣିଲା ନାହିଁ ବରଂ ଏହା ସାମାଜିକ, ରାଜନୈତିକ ଏବଂ ବ୍ୟବସାୟୀକ ମୂଲ୍ୟବୋଧ ପ୍ରତିଷ୍ଠା କରିବାରେ ମଧ୍ୟ ବଡ ଭୂମିକା ଗ୍ରହଣ କଲା । ସେ କହିଥିଲେ ଯେ, ମହାତ୍ମା ବୁଦ୍ଧଙ୍କ ବାର୍ତ୍ତା ପୃଥିବୀରେ ଥିବା ତାଙ୍କ ୫୦ କୋଟିରୁ ଅଧିକ ଅନୁଗାମୀଙ୍କ ନିକଟରେ ପହଞ୍ଚି ପାରିଛି । ବୁଦ୍ଧଙ୍କ ଜୀବନ ସହ ଜଡିତ ସ୍ଥାନଗୁଡିକୁ ପର୍ୟ୍ୟଟନସ୍ଥଳୀ ରୂପେ ବିକଶିତ କରାଯିବା ଆବଶ୍ୟକ । ଫଳରେ ତାଙ୍କ ବାର୍ତ୍ତାର ମୂଳମନ୍ତ୍ର ଜନସମାଜ ଓ ବିଶେଷକରି ଯୁବ ପିଢିଙ୍କ ନିକଟରେ ପହଞ୍ଚି ପାରିବ । ରାଷ୍ଟ୍ରପତି କହିଥିଲେ ଯେ, ବିକାଶ ଲାଗି ଶାନ୍ତି ନିହାତି ଜରୁରି । ସେ କହିଥିଲେ ଯେ, ବୁଦ୍ଧଙ୍କ ଶାନ୍ତି ବାର୍ତ୍ତାର ସାରାଂଶ ହେଉଛି ବାହ୍ୟ ଶାନ୍ତି ପାଇଁ ଅନ୍ତରୀଣ ଶାନ୍ତି ଆବଶ୍ୟକ । ଆଧ୍ୟାତ୍ମିକତା, ଶାନ୍ତି ଏବଂ ବିକାଶ ପରସ୍ପରକୁ ଯୋଡିଥାଏ । ସଂଘର୍ଷ, ଅଶାନ୍ତି ଓ ବିକାଶର ଅଭାବ ପରସ୍ପରର କ୍ଷତି ଘଟାଇଥାଏ । ଦାରିଦ୍ର୍ୟ ଓ ସଂଘର୍ଷ ଦୂର କରିବା ଲାଗି ଏକ ଶକ୍ତିଶାଳୀ ସାଧନ ଆକାରରେ ଶାନ୍ତି ଓ ସଦଭାବର ପ୍ରସାର ପାଇଁ ସେ ଲୋକମାନଙ୍କୁ ଆହ୍ଵାନ କରିଥିଲେ ।

ସ୍ରୋତ-ପିଆବି