
କଟକ,୩୦/୦୬/୨୧ (ଜିଲ୍ଲା ଖବର) : କଟକରୁ ନକଲି ଔଷଧ ଜବତ ଘଟଣା । ରଦ୍ଦ ହେଲା ମେଡିଲଏଡ ମେଡିକାମେଣ୍ଟ ସଂସ୍ଥାର ଲାଇସେନ୍ସ। ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଏହାକୁ ରଦ୍ଦ କରାଯାଇଛି । ପୂର୍ବରୁ କ୍ରାଇମବ୍ରାଞ୍ଚ STF ମାଲିକ ଶିବ ପ୍ରସନ୍ନ ଜେନା, ପତ୍ନୀ ଶୁଭଲକ୍ଷ୍ମୀ ଜେନା ଓ ୨ ଜଣ କର୍ମଚାରୀଙ୍କୁ ଗିରଫ କରିଛି । ଏହି ସଂସ୍ଥା ନିକଟରୁ ୭୦ ଲକ୍ଷ ଟଙ୍କାର ଭେଜାଲ ଔଷଧ ଜବତ କରାଯାଇଥିଲା।
ସେପଟେ ସଂସ୍ଥା ସହ ସବୁ ସମ୍ପର୍କ ଛିନ୍ନ କରିବା ପାଇଁ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନକୁ ଚିଠି ଲେଖିଛି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ। କଟକ କନିକାଛକ ସ୍ଥିତ ମେଡ଼ିଲଏଡ୍ ମେଡ଼ିକେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ରେ ଚାଲିଥିଲା ଏହି ଭେଜାଲ୍ ଔଷଧ କାରବାର । କରୋନା ଚିକିତ୍ସା ପାଇଁ ବ୍ୟବହୃତ ଫାଭିପିରାଭିରର ଫାଭିମ୍ୟାକ୍ସ-୨୦୦ ଏବଂ ଫାଭିମ୍ୟାକ୍ସ-୪୦୦ ବ୍ରାଣ୍ଡର ଔଷଧ ବିକ୍ରି ପାଇଁ ଆଣିଥିଲେ ।
ଯେଉଁ ଷ୍ଟ୍ରିପର ଦାମ୍ ୬୫ ଟଙ୍କା, ତାକୁ ୧୨୯୦ ଟଙ୍କା ଅର୍ଥାତ ୨୦ ଗୁଣା ଦରରେ ବିକ୍ରି ପାଇଁ କରିଥିଲେ ଯୋଜନା । ତେବେ ଏବେ ବି ଶିବପ୍ରସନ୍ନ କାହା ଇସାରାରେ ଏବଂ କାହା ଛତ୍ରଛାୟା ତଳେ ରହି କାରବାର କରୁଥିଲେ ତାକୁ ନେଇ ପ୍ରଶ୍ନ । ପ୍ରଥମେ ଶିବପ୍ରସନ୍ନଙ୍କୁ ସମୟ ଦିଆଯାଇଥିବା ଅଭିଯୋଗ ପରେ ଏବେ ବି ପୂରା ଘଟଣାକୁ ନେଇ ସନ୍ଦେହଘେରରେ ତଦନ୍ତ ।Share



