
ଖୋର୍ଦ୍ଧାରୋଡ,୨୭/୬(ଜିଲ୍ଲା ଖବର) : ଖୋର୍ଦ୍ଧାରୋଡ ରେଳପଥ ମୂଖ୍ୟହସ୍ପିଟାଲ ଅଧିନରେଥିବା ରେତଙ୍ଗକଲୋନୀ ହେଲଥ ୟୁନିଟରେ ଦିର୍ଘ ୫ବର୍ଷରୁ ଡାକ୍ତର ନାହାନ୍ତି । ଡାକ୍ତରଙ୍କ ଅନୁପସ୍ଥିତକୁ ନେଇ ଫାର୍ମାଶିଷ୍ଟ ସାଜିଛନ୍ତି ଚିକିତ୍ସକ । ଚିକିତ୍ସକ ଦାୟିତ୍ୱ ନେଇଥିବା ଉକ୍ତ ଫାର୍ମାଶିଷ୍ଟଙ୍କୁ ଇଂଜେକସନ ଦେବାର କ୍ଷମତା ନଥିବା ବେଳେ ସାଧାରଣ ରୋଗଲାଗି ଅନ୍ୟ ହସ୍ପିଟାଲକୁ ରେଫର କରୁଥିବା ଅଭିଯୋଗ ହୋଇଛି । ଫଳରେ ରୋଗୀମାନେ ଫାର୍ମାଶିଷ୍ଟଙ୍କ ଦ୍ୱାରା ଚିକିତ୍ସା ନହୋଇ ଅନ୍ୟ ହସ୍ପିଟାଲକୁ ଯାଉଛନ୍ତି । ତେଣୁ ରେଳପଥର ଏହି ଚିକିତ୍ସା ସେବା ଉଦ୍ୟଶ୍ୟଟି ବିଫଳ ହୋଇଛି । ସୁଚନାନୁସାରେ, ଖୋର୍ଦ୍ଧାରୋଡ ରେଳପଥ ମୂଖ୍ୟ ଡାକ୍ତରଖାନା ଅଧିନରେ ଲୋକଲାଇନ ହେଲଥ ୟୁନିଟ ଏବଂ ରେତଙ୍ଗକଲୋନୀ ଅଂଚଳରେ ମଧ୍ୟ ଅନୁରୁପଭାବେ ଗୋଟିଏ ହେଲଥ ୟୁନିଟ ରହିଛି । ଉକ୍ତ କଲୋନୀରେ ରହୁଥିବା ଖୋର୍ଦ୍ଧାରୋଡ ରେଳପଥରେ କାର୍ଯ୍ୟରତ ଲୋକପାଇଲଟ,ଗାର୍ଡ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କଲାଗି ଏହି ହେଲଥ ୟୁନିଟ ଖୋଲାଯାଇଥିଲା । ରେଳପଥ ଅଧିନରେ କାର୍ଯ୍ୟକରୁଥିବା କର୍ମଚାରୀ ଓ ସେମାନଙ୍କ ପରିବାରମାନଙ୍କଲାଗି ହାତପାହନ୍ତରେ ଜରୁରିକାଳୀନ ସମୟରେ ଆଶୁ ଚିକିତ୍ସା ସେବା ମିଳିପାରିବ । ହେଲେ ଏହି ହେଲଥ ୟୁନିଟରେ ଯଥାସମ୍ଭବ ସେବା ମିଳିପାରୁ ନାହିଁ । ମାତ୍ର ସେଥି ମଧ୍ୟରୁ ରେତଙ୍ଗକଲୋନୀ ଅଂଚଳରେ ରହିଥିବା ହେଲଥ ୟୁନିଟ ସ୍ୱାସ୍ଥ୍ୟକେନ୍ଦ୍ରଟିରେ ଏହି ଅବହେଳା ଦେଖିବାକୁ ମିଳିଛି । ଦିର୍ଘ ଦିନରୁ ଡାକ୍ତରଙ୍କ ଅନୁପସ୍ଥିତ ସହିତ ହେଲଥ ୟୁନିଟ ପରିସର ଜଙ୍ଗଲରେ ପରିପୁର୍ଣ୍ଣ ହୋଇ ଅବହେଳିତ ଅବସ୍ଥାରେ ପଡିରହିଛି । ଫଳରେ କଲୋନୀ ବାସିନ୍ଦାମାନେ ସାଧାରଣ ରୋଗର ଚିକିତ୍ସାଲାଗି ହଇରାଣହର୍କତ ହୋଇ ବିଭିନ୍ନ ହସ୍ପିଟାଲକୁ ଯାଉଛନ୍ତି । ବିଗତ ୫ବର୍ଷ ହେଲା ଉକ୍ତ ହେଲଥ ୟୁନିଟରେ ଡାକ୍ତର ନାହାନ୍ତି । କେବଳ ଫାର୍ମାଶିଷ୍ଟଙ୍କ ଦ୍ୱାରା ରୋଗୀସେବା ଚାଲିଛି । ମାତ୍ର ବିଡମ୍ବନାର ବିଷୟ ନିୟୋଜିତ ହୋଇଥିବା ଫାର୍ମାଶିଷ୍ଟ ଜଣଙ୍କୁ ଆବଶ୍ୟକସ୍ଥଳେ ଇଜେଂକସନ ଲଗାଇବାକୁ ଅସମର୍ଥ ଥିବାରୁ ସାଧାରଣ ଜ୍ୱର,ଝାଡା ଲାଗି କଲୋନୀର ଲୋକମାନଙ୍କୁ ମୂଖ୍ୟ ଡାକ୍ତରଖାନାକୁ ରେଫର କରୁଛନ୍ତି । ଇଜେଂକସନ ଦେଇପାରିବେ ନାହିଁ ବରଂ ଇଜେଂକସନ ରୋଗୀମାନଙ୍କୁ ହସ୍ତାନ୍ତର କରିପାରିବେଏବଂ ଆପଣ ଅନ୍ୟଁଠାରେ ଦେଇପାରିବେ ବୋଲି ରୋଗୀମାନଙ୍କୁ ରୋକଠୋକ କହୁଥିବା ଅଭିଯୋଗ ହୋଇଛି । ସେହିପରି ଆବଶ୍ୟକ ସାଧାରଣ ଔଷଧ ମଧ୍ୟ ଏହି ହେଲଥ ୟୁନିଟରେ ମିଳୁନଥିବା କଲୋନୀବାସୀ ଅଭିଯୋଗ କରିଛନ୍ତି ।ତେବେ ଏନେଇ ରେଳପଥ ମେଡିକାଲ ସୁପରିଟେଣ୍ଡେଂଟ ଗୈାରୀ ଶଙ୍କର ରାଓ କୁହନ୍ତି, ଉକ୍ତ ହେଲଥ ୟୁନିଟଲାଗି ଡାକ୍ତର ମିଳୁନାହାନ୍ତି । ନିକଟରେ ୩ଜଣ ଡାକ୍ତରଙ୍କ ସାକ୍ଷାତକାର ହୋଇଥିଲା । ହେଲେ ସେମାନଙ୍କ ଅନ୍ୟତ୍ର ଚାକିରୀ ହୋଇଗଲା । ଖୁବ ଶିଘ୍ର ଡାକ୍ତରଙ୍କ ନିଯୁକ୍ତି କରାଯିବ ବୋଲି କହିଛନ୍ତି ।
ରିପୋର୍ଟ, ସଞ୍ଜୀବ କୁମାର ।


