Monday, November 16, 2026
Home ଆଞ୍ଚଳିକ ଅଣସର ବେଳେ ମହାପ୍ରଭୁ କେଉଁଠି ରୁହନ୍ତି ?

ଅଣସର ବେଳେ ମହାପ୍ରଭୁ କେଉଁଠି ରୁହନ୍ତି ?

31

୨୫/୦୬/୨୧ (ଜିଲ୍ଲା ଖବର) :  ୧୦୮ ଗରା ଜଳରେ ଗାଧୋଇ କାଳିଆ ସାଆନ୍ତେ ଏବେ ଜରରେ ପଡିଛନ୍ତି । ଗୁପ୍ତସେବାରେ ଲାଗିଛନ୍ତି  ଅଙ୍ଗଲାଗି ସେବକ ଦଇତାପତି । ମଣିମା ଏଣିକି ୧୫ ଦିନ କାଳ ଏହି ଅନବସର ଘରେ ରହିବେ । ଏଠି ନା ତାଙ୍କୁ ଖାଇବାକୁ ମିଳିବ ୬୦ ପଉଟି ବ୍ୟଞ୍ଜନ ନା ରାଜକୀୟ ସେବା । ପଣା, ଚକଟା ଭୋଗ ଖାଇ ସନ୍ତୁଷ୍ଟ ହେବେ ମହାପ୍ରଭୁ । ବାସ୍ନା ଫୁଲ ଭିତରକୁ ମନା ସେଥିପାଇଁ କେବଳ ଧଳା ଫୁଲରେ ଉପାସିତ ହେବେ ଫୁଲ ରସିଆ କଳା ସାଆନ୍ତେ । ତାହା ପୁଣି ସାୟୀତ ମୁଦ୍ରାରେ ବା ଶୋଇଥିବା ଅବସ୍ଥାରେ।

ରତ୍ନ ସିଂହାସନ ଶୂନ୍ୟ ପଡିଛି । ଖଟଟିଏ ଉପରେ ରହି ପଟି ଠାକୁର ପୂଜା ପାଉଛନ୍ତି ।

ହେଲେ କ’ଣ ଆପଣ ଜାଣନ୍ତି ଅଣସର ପିଣ୍ଡି କ’ଣ ?
କେଉଁଠାରେ ରୁହନ୍ତି ବଡ଼ ଠାକୁର ?

ବାସ୍ତବରେ ଅଣସର ବା ଅନବସର ଗୃହ ଶାବରୀୟ ସେବାର ଏକ ଅନନ୍ୟ ପରମ୍ପରା । ଯେଉଁଠି ଏକାନ୍ତରେ ନିଜ ଆତ୍ମୀୟ ବୋଲାଉଥିବା ଶବର ବିଶ୍ବାବସୁଙ୍କ ବଂଶଜ ଦଇତାମାନଙ୍କ ସହ ରୁହନ୍ତି ଆମ ବଡ଼ ଠାକୁର ।

ଶ୍ରୀମନ୍ଦିର ଗର୍ଭଗୃହ ବା ପୋଖରୀଆ ସମ୍ମୁଖରେ ଥିବା ଜଗମୋହନକୁ ଏହି ସମୟରେ ଦୁଇ ଭାଗରେ ବିଭକ୍ତ କରାଯାଏ । ଗୋଟିଏ ଭାଗରେ ଦାରୁ ବିଗ୍ରହ ଓ ଅନ୍ୟ ଭାଗରେ ଅଣସର ପଟି ଠାକୁରଙ୍କ ସହ ୭ ମୂର୍ତ୍ତି ଠାକୁର ପୂଜା ହୁଅନ୍ତି ।

ସ୍ନାନ ପୂର୍ଣ୍ଣିମା ରାତିରେ ଶ୍ରୀଜୀଉମାନେ ସ୍ନାନ ବେଦୀରୁ ଫେରିବା ପରେ ଅଣସର ପିଣ୍ଡିରେ ଦଇତାମାନେ ଶ୍ରୀମୁଖରେ ରାହୁରେଖା ଓ ଚିତା ଓଲାଗି କରନ୍ତି । ଏହାପରେ କୋଠ ସୁଆଁସିଆମାନେ ଅଣସର ପିଣ୍ଡି ଚାରିପଟେ ବାଉଁଶ ତାଟି ବାନ୍ଧନ୍ତି । ଯେଉଁଥିରେ ଏକ ଛୋଟିଆ ଦୁଆର ରହିଥାଏ ଦଇତାମାନେ ଭିତରକୁ ପ୍ରବେଶ କରିବା ପାଇଁ । ଯାହାକୁ କୁହନ୍ତି ଧୁକୁଡି ଦୁଆର ।

ଏପଟେ ଚିତ୍ରକାର ସେବକ ଯୋଗାଇଥିବା ୩ ମୂର୍ତ୍ତି ପଟି ଦିଅଁ ଯଥା ବାସୁଦେବ, ଭୁବନେଶ୍ଵରୀ ଏବଂ ନାରାୟଣ ତାଟିର ୨ୟ ଭାଗରେ ପୂଜା ହୁଅନ୍ତି । ଯାହାଙ୍କ ତଳେ ଥିବା ଖଟରେ ନୃସିଂହ, ରାମ କୃଷ୍ଣ , ଶ୍ରୀଦେବୀ, ଭୂଦେବୀ, ଦୋଳଗୋବିନ୍ଦ ଓ ମଦନମୋହନଙ୍କୁ ଉକ୍ତ ଖଟ ଉପରକୁ ବିଜେ କରାଯାଇଥାଏ ।

ରାମକୃଷ୍ଣ ଓ ନୃସିଂହ ପ୍ରତିମା ବଡ଼ ବାଡ ବା ବଳଭଦ୍ରଙ୍କ ପଟ୍ଟି ବାସୁଦେବଙ୍କ ତଳେ ରହୁନ୍ତି । ସେହିପରି ମଝିବାଡ ବା ମା’ ସୁଭଦ୍ରାଙ୍କ ଭୁବନେଶ୍ଵରୀ ପଟ୍ଟି ତଳେ ଭୂଦେବୀ, ଶ୍ରୀଦେବୀ ଦୁଇମୂର୍ତ୍ତି ଓ ମହାପ୍ରଭୁ ଜଗନ୍ନାଥଙ୍କ ବାଡ଼ରେ ଶ୍ରୀ ନାରାୟଣଙ୍କ ପଟ୍ଟିତଳେ ମଦନମୋହନ ଓ ଦୋଳ ଗୋବିନ୍ଦ ଉପାସିତ ହୁଅନ୍ତି ।