
୨୫/୦୬/୨୧ (ଜିଲ୍ଲା ଖବର) : 108 ଗରା ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡିଛନ୍ତି ମହାପ୍ରଭୁ । ଆଜିଠାରୁ ଅଣସର ପିଣ୍ଡିରେ ଦାରୁବିଗ୍ରହଙ୍କ ହେବ ଗୁପ୍ତ ସେବା । ମହାପ୍ରଭୁଙ୍କ ଗୁପ୍ତା ସେବା କରିବେ ଶ୍ରୀଅଙ୍ଗ ସେବକ ଦଇତାପତି ।
ଗତକାଲି ସ୍ନାନବେଦୀରୁ ବାହୁଡ଼ା ପହଣ୍ଡିରେ ଯିବାବେଳେ ଅଣସର ପିଣ୍ଡିରେ ଅଟକିଛନ୍ତି ତିନି ଠାକୁର । ଚାଲିବ ମହାପ୍ରଭୁଙ୍କ ଜ୍ୱର ଉପଚାର । କେବଳ ଏକ ଦୀପକୁ ଛାଡ଼ିଦେଲେ ଅଣସର ପିଣ୍ଡିରେ ଘନ ଅନ୍ଧକାର ମଧ୍ୟରେ ଚାଲିବ ଗୁପ୍ତ ନୀତି। ବୈଦ୍ୟଙ୍କ ପରାମର୍ଶ କ୍ରମେ ଜ୍ୱର ପୀଡ଼ିତ ଶ୍ରୀଜୀଉଙ୍କୁ ସୁସ୍ଥ ହେବା ପାଇଁ ପଥି ଦିଆଯିବ ।
ଦଇତାପତି ସେବକଙ୍କ ଦ୍ୱାରା ମହାପ୍ରଭୁଙ୍କ ଗୁପ୍ତନୀତି କରାଯିବ । ବିନା ବାଧାରେ ଗୁପ୍ତନୀତିକୁ ସଂପନ୍ନ ପାଇଁ ଅଣସର ବାସ ପିଣ୍ଡି ସମ୍ମୁଖରେ ଅଣସର ତାଟି ପଡ଼ିଛି । ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିର ଅଣସର ତାଟି ସମ୍ମୁଖରେ ପଟି ଦିଅଁ ବିଜେ କରିଛନ୍ତି । ପଟି ଦିଅଁଙ୍କ ନିକଟରେ ଆଜିଠାରୁ ଛପନ ପଉଟି ଭୋଗ ଲାଗି ହେବ ।


