
ବୁଗୁଡା,୨୪/୬(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଭଂଜପୀଠ ବୁଗୁଡା ସହରରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ଶ୍ରୀ ବଳଦେବ ସ୍ବାମୀଙ୍କ ସହ ଚତୁର୍ଦ୍ଧାମୁର୍ତ୍ତୀଙ୍କ ସ୍ନାନଯାତ୍ରା ଉତ୍ସବ ନିରାଡମ୍ବରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଭାତ ମଙ୍ଗଳ ଆଳତୀ ସରିବା ପରେ ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣ ମଠାଧିଶ ମହନ୍ତ ଭକ୍ତରାମ ଦାସ ମହାରାଜଙ୍କୁ ପାଛୋଟି ଅଣାଯାଇଥିଲା । ତାପରେ ମହାପ୍ରଭୁ ରତ୍ନ ସିଂହାସନରୁ ଓହ୍ଲାଇ ପହଣ୍ଡି କରି ଦେବସ୍ନାନ ମଣ୍ଡପରେ ବିରାଜମାନ କରାଯାଇଥିଲା । ଏକଶତ ଆଠ ଗରାରେ ଚନ୍ଦନ କର୍ପୁର ମିଶ୍ରିତ ସୁବାସିତ ଜଳରେ ସମସ୍ତ ଜୀଉଙ୍କୁ ସ୍ନାନ କରିସାରିବା ପରେ ଗଜବେଶରେ ସଜ୍ଜିତ କରି ଜନମାନସରେ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାମୁର୍ତ୍ତୀ । ଗତବର୍ଷ ମହାମାରୀ କରୋନା ର ପ୍ରାଦୁର୍ଭାବରେ ବିନା ଭକ୍ତରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏହି ଚଳିତ ବର୍ଷ କିଛିକାଂଶରେ କଟକଣା କୋହଳ ହୋଇଥିବା ଯୋଗୁଁ ଶ୍ରଦ୍ଧାଳୁ ଭକ୍ତଙ୍କ ମନ ପ୍ରଫୁଲ୍ଲିତ ଥିବାପରି ମନେ ହେଉଥିଲା । ଏହି ସ୍ନାନଯାତ୍ରା ଉତ୍ସବ କାର୍ଯ୍ୟକ୍ରମରେ ମନ୍ଦିରର ସମସ୍ତ ପୂଜକ ଏବଂ ଉନ୍ନୟନ କମିଟି ବୃନ୍ଦଙ୍କ ସହଯୋଗ ରହିଥିଲା ।
ରିପୋର୍ଟ, ତ୍ରିଲୋଚନ ପଣ୍ଡା ।



