
ଆସିକା,(ଜିଲ୍ଲା ଖବର) : କରୋନା ଟିକା ହିଁ ମହାମାରୀ କରୋନାର ସୁରକ୍ଷା କବଚ । ସମ୍ଭାବ୍ୟ କରୋନା ତୃତୀୟ ଲହର ମୁକାବିଲା ଲାଗି ସାମୁହିକ ଟିକା କରଣ ଏକ ଅନିବାର୍ଯ୍ୟ ଆବଶ୍ୟକତା ରହିଛି । ଏହି କାରଣରୁ ଆଜି ଠାରୁ ରାଜ୍ୟର ସବୁ ବ୍ଲକ ଓ ଏନଏସି ଜୋରଦାର ଟିକାକରଣ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଟାଂ ଭିଡିଥିବା ଜଣାଯାଇଛି ।

ଏହି ଅବସରରେ ଆସିକା ବ୍ଲକ ବରଗାଁ ପଚାଂୟତ କଲ୍ୟାଣ ମଣ୍ଡପ ଠାରେ ୧୮ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ବିଶେଷଙ୍କ ପାଇଁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ସକାଳ ୯ଟା ରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିଥିଲା । ମୁଖ୍ୟ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଆନୁଷ୍ଠାନିକ ଭାବେ ଯୋଗ ଦେଇ ଟିକାକରଣ ପାଇଁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆସିକା ବିଡିଓ ରୋଶନ ଶତପଥି,ଆସିକା ତହସିଲଦାର ସଦାନନ୍ଦ ସେଠି,ଗଞ୍ଜାମ ଜୋନ ବିଜୁ ଯୁବ ଜନତା ଦଳ ସଭାପତି ନଚିକେତା ସ୍ୱାଇଁ,ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଏମ.ଭି.କେ ଅଶୋକ,ଆୟୁଷ ଡାକ୍ତର ସୁଜିତ କୁମାର ପାତ୍ର,ଆସିକା ସିଡିପିଓ ଭାରତୀ ମହାପାତ୍ର,ବିପିଏମ ସାଗରିକା ମିଶ୍ର, ପ୍ରମୁଖ ଯୋଗ ଦେଇ ଲୋକଙ୍କୁ ଟିକାକରଣ ବେଳେ ସହଯୋଗ କରିଥିଲେ । ଏହା ସହିତ କରୋନା ଭଳି ଭୟଙ୍କର ମହାମାରୀକୁ ନ ଡରି କିପରି ତାର ମୁକାବିଲା କରାଯାଇ ପାରିବ ଲୋକଙ୍କୁ ବୁଝାଇଥିଲେ ।

ବରଗାଁ ଠାରେ ଆୟୋଜିତ ଟିକାକରଣ କେନ୍ଦ୍ରକୁ ପରିଚାଳନାରେ ବରଗାଁ ସମିତିସଭ୍ୟ ଶିବ ନାହକ ସକ୍ରିୟ ଭୁମିକା ଗ୍ରହଣ କରି ଲୋକଙ୍କ ସମସ୍ତ ପ୍ରକାର ସୁବିଧା ଯୋଗାଇଥିଲେ । ଟିକାକରଣ ବେଳେ ସମସ୍ତଙ୍କୁ ପାଣି ଠାରୁ ଆରମ୍ଭ କରି ମୁହଁରେ ମାସ୍କ,ହାତରେ ଗ୍ଲୋବସ ପିନ୍ଧିବା,ସାନିଟାଇଜ କରିବା ଏବଂ ଟିକାକରଣ ଦେବା ପରେ ବିଶ୍ରାମ ପାଇଁ ସେମାନଙ୍କୁ ସୁରକ୍ଷିତ ଓ ଉତମ ସ୍ଥାନର ବନେ୍ଦାବସ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ ରୁପାୟନ ପାଇଁ ପରିଚାଳନାରେ ବରଗାଁ ପଚାଂୟତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଏଏନଏମ,ଅଙ୍ଗନୱାଡି,ଆଶା ପ୍ରମୁଖ ଥିଲେ । ସେହିଭଳି ଆସିକା ଉପଖଣ୍ଡ ଚିକିତ୍ସା କେନ୍ଦ୍ର, ଏନଏସି ଅନ୍ତର୍ଗତ ୱାର୍ଡ ନମ୍ବର-୨ ବାଣିବିହାର କଲ୍ୟାଣ ମଣ୍ଡପ ଓ ବାବନପୁର ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମଧ୍ୟ ୧୮ ବର୍ଷରୁ ଉର୍ଦ୍ଧ ବୟସ ଲୋକଙ୍କୁ କରୋନା ଟିକାକରଣ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତରେ ଆୟୋଜିତ ହୋଇଥିଲା ।







