
ନୂଆଦିଲ୍ଲୀ, ୨୪/୦୬/୨୧ (ଜିଲ୍ଲା ଖବର) : ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ଫିଲ୍ମମାନଙ୍କ ମଧ୍ୟରେ ପରିଗଣିତ ‘ଶୋଲେ’ । ବକ୍ସ ଅଫିସରେ ବେଶ ସଫଳତା ହାସଲ କରିଥିଲା ଏହି ଫିଲ୍ମ । ଏହାର ପ୍ରତିଟି ଡାଇଲଗ ସମସ୍ତଙ୍କ ହୃଦୟକୁ ଛୁଇଁଥିଲା । ହେଲେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଫିଲ୍ମର ନିର୍ଦ୍ଦେଶକ ରମେଶ ସିପିଙ୍କୁ ଏହି ଫିଲ୍ମର ଗୋଟେ ସିନ ସୁଟିଂ ପାଇଁ ସମୟ ଲାଗିଥିଲା ପାଖାପାଖି ୩ ବର୍ଷ । ଏକ ଇଣ୍ଟରଭ୍ୟୁ ମାଧ୍ୟମରେ ଏହାର ଖୁଲାସା କରିଥିଲେ ନିଜେ ଅମିତାଭ ବଚ୍ଚନ । ଫିଲ୍ମରେ ଅମିତାଭଙ୍କ ବ୍ୟତୀତ ଧର୍ମେନ୍ଦ୍ର, ହେମା ମାଳିନୀ,ଜୟା ବଚ୍ଚନ,ସଞ୍ଜୀବ କୁମାର, ଅମଜଦ ଖାନ ଲିଡ ରୋଲରେ ନଜର ଆସିଥିଲେ ।
ବିଗ୍ ବି କହିଥିଲେ ଯେ, ତାଙ୍କର ଏବଂ ଜୟା ବଚ୍ଚନଙ୍କ ମଧ୍ୟରେ ଏକ ସିନ୍ ଅଛି,ଏହି ସିନକୁ ସୁଟ୍ କରିବାରେ ପାଖାପାଖି ତିନି ବର୍ଷ ଲାଗି ଯାଇଥିଲା । ଏହି ସିନରେ ଜୟା ବଚ୍ଚନ ଲଣ୍ଠନ ଜଳାଉଛନ୍ତି ଏବଂ ଅମିତାଭ ବଚ୍ଚନ ମାଉଥ ଆର୍ଗନ ବଜାଉଛନ୍ତି । ସିନଟି ୩ ମିନିଟର ରହିଛି ,ଯାହା ସୁଟ କରିବା ପାଇଁ ୩ ବର୍ଷ ଲାଗିଥିଲା ।
ବିଗ୍ ବି କହିଛନ୍ତି ଯେ, ମୁଁ ଆଶ୍ଚର୍ଯ୍ୟ ଯେ ଲୋକମାନଙ୍କୁ ସେହି ସିନ୍ ମନେ ଅଛି । ଯେଉଁଥିରେ ଜୟା ଲଣ୍ଠନ ଜଳାଉଥିଲେ ଆଉ ମୁଁ ଆଉଟହାଉସରେ ବସି ମାଉଥ ଅର୍ଗାନ ବଜାଉଥିଲି । ଏହି ସିନର ସୁଟିଂ ପାଇଁ ଭିନ୍ନ ଆଲୋକର ଆବଶ୍ୟକତା ଥିଲା । ନିର୍ଦ୍ଦେଶକ ଚାହୁଁଥିଲେ ସୂର୍ଯ୍ୟାସ୍ତ ସମୟର ସୁଟ ନେବାକୁ । ଆପଣ ମାନଙ୍କୁ ବିଶ୍ବାସ ହେବ ନାହିଁ ଯେ, ରମେଶ ଜୀ ଏହି ସିନର ସୁଟିଂ କରିବା ପାଇଁ ୩ ବର୍ଷ ବିତାଇ ଦେଇଥିଲେ । ଯାହା ଦ୍ବାରା ପରଫେକ୍ଟ ସଟ ପାଇ ପାରିବେ ।
ଏହି ଫିଲ୍ମଟି କର୍ଣ୍ଣାଟକର ବାଙ୍ଗାଲୋର ଏବଂ ମହିସୁର ମଧ୍ୟରେ ଅବସ୍ଥିତ ପାହାଡ ଦ୍ୱାରା ଘେରି ରହିଥିବା ‘ରାମନଗରାମ’ରେ ସୁଟିଂ କରାଯାଇଥିଲା। ଏଠାରେ ଥିବା ଏକ ଗାଁକୁ ରାମଗଡର ଆକାର ଦିଆଯାଇଥିଲା।



