
ନୂଆଦିଲ୍ଲୀ, ୨୩/୦୬/୨୧ (ଜିଲ୍ଲା ଖବର) : ଆଜି ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ । ସ୍ୱାଧୀନ ଭାରତରେ ସ୍ୱରାଜ,ସ୍ୱଦେଶୀ ଓ ସ୍ୱ-ତନ୍ତ୍ରର ପ୍ରତିଷ୍ଠାରେ ଥିଲା ତାଙ୍କର ବଡ଼ ଅବଦାନ । ଆଜିର ଦିନକୁ ଦେଶବ୍ୟାପୀ ବୁଥସ୍ତରରେ ପାଳନ କରୁଛି ବିଜେପି । ୨୩ ଜୁନରୁ ୬ ଜୁଲାଇ ପର୍ଯ୍ୟନ୍ତ ବ୍ୟାପକ କାର୍ଯ୍ୟକ୍ରମ କରିଛି ଦଳ । ଏହି ସମୟରେ ବୁଥ ସ୍ତରରେ ବୃକ୍ଷରୋପଣ ଜରିଆରେ ଜନଜାଗରଣ ସୃଷ୍ଟି କରାଯିବ। ଆଜି ସନ୍ଧ୍ୟାରେ ଜିଲ୍ଲାସ୍ତରରେ ଏବଂ ଜୁଲାଇ ୬ ତାରିଖରେ ବିଧାନସଭାସ୍ତରରେ ଶ୍ୟାମାପ୍ରସାଦଙ୍କ ବିଚାର, ତ୍ୟାଗ, ପ୍ରେରଣା ଏବଂ ବଳିଦାନ ସଂପର୍କରେ ଭର୍ଚୁଆଲ ଆଲୋଚନାଚକ୍ର ଅନୁଷ୍ଠିତ ହେବ ।
ଏହାସହ ସ୍ୱଚ୍ଛ ଭାରତ-ସୁସ୍ଥ ଭାରତ ସ୍ଲୋଗାନ ସହ ପ୍ଲାଷ୍ଟିକ ପଲିଥିନ ବର୍ଜନ ପାଇଁ ସଚେତନତା କରାଯିବ । ସେପଟେ ଏହି ଅବସରରେ ଶ୍ୟାମାପ୍ରସାଦଙ୍କୁ ମନେ ପକାଇଛନ୍ତି ଦେଶର ବହୁ ବିଶିଷ୍ଟ ବ୍ୟକ୍ତିତ୍ବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ।
ଦିଲ୍ଲୀର ହଜଖସରେ ମଧ୍ୟ ବୃକ୍ଷରୋପଣ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଶ୍ୟାମାପ୍ରସାଦଙ୍କ ଅତୁଳନୀୟ ଅବଦାନ ସଂପର୍କରେ କହିଥିଲେ ।




