Wednesday, November 11, 2026
Home ଆଞ୍ଚଳିକ ପ୍ରତି ମାସରେ ଶ୍ୱଶୁର ଘର ଗାଧେଇ ଯାଆନ୍ତି ବଡ଼ ଠାକୁର

ପ୍ରତି ମାସରେ ଶ୍ୱଶୁର ଘର ଗାଧେଇ ଯାଆନ୍ତି ବଡ଼ ଠାକୁର

60

୨୩/୦୬/୨୧ (ଜିଲ୍ଲା ଖବର) : ଜୋଇଁ ପୁଅ ଶ୍ୱଶୁର ଘରକୁ ଗଲେ ବଡ଼ ଖାତର ପାଏ। ତାଙ୍କ ପାଇଁ ପୂଜା ଠା’ ବସେ। ପାଣି, ପଣା ଦେଇ ସମ୍ମାନୀତ କରାଯାଏ। ତେଣୁ କୁହାଯାଏ ଶ୍ୱଶୁର ଘରର ଖାତିର ଭଳି ଆଉ କୋଉଠି ଖାତିର ମିଳିବ ନାହିଁ। 

ଆମ ତମ ଭଳି ଆମ ଦିଅଁ କାଳିଆ ସାଆନ୍ତ ବି ଶ୍ୱଶୁର ଘରକୁ ଯାଆନ୍ତି। ଏ କଥାଟା ଅଳ୍ପ ଲୋକେ ଜାଣନ୍ତି। ତା ହେଲେ ଆସନ୍ତୁ ଆଜିର ଜଗନ୍ନାଥ ଜଣା ଅଜଣା ସ୍ତମ୍ଭରେ ସେହି ସମ୍ପର୍କରେ ଜାଣିବା। 

ଜଗନ୍ନାଥ ମହାପ୍ରଭୁଙ୍କ ପତ୍ନୀ ହେଉଛନ୍ତି ଲକ୍ଷ୍ମୀ ଠାକୁରାଣୀ। ଆମ ମା’ ଲକ୍ଷ୍ମୀଙ୍କ ଘର ହେଉଛି ମହୋଦଧୀ ବା ସମୁଦ୍ର। ବରୁଣ ଦେବଙ୍କ କନ୍ୟା ହେଉଛନ୍ତି ମା’। ସେଇଥିପାଇଁ ସମ୍ପର୍କରେ କାଳିଆ ଠାକୁରଙ୍କ ଶ୍ୱଶୁର ଘର ଭାବେ ଜଣାଶୁଣା ମହୋଦଧୀ। 

କିନ୍ତୁ ଶ୍ୱଶୁରଙ୍କ ଘୁ ଘୁ ଗର୍ଜନ ମଣିମାଙ୍କ ନିଦ ଭାଙ୍ଗିଦିଏ। ସେଇଥିପାଇଁ କାଳେ ଦେଉଳ ଚାରିପଟେ ଠିଆ ହୋଇଛି ମେଘନାଦ ପାଚେରି। 

ଜାଣିଛନ୍ତି ସମୁଦ୍ରଙ୍କ ଗର୍ଜନ ମଣିମାଙ୍କ ନିଦ୍ରାକୁ ବ୍ୟାଘାତ ସ୍ୟଷ୍ଟି କଲା ବୋଲି ତାଙ୍କୁ ବଡ଼ ଦେଉଳ ମନା। ହେଲେ ତାଙ୍କ ମନ ରଖିବାକୁ ଆମ ଠାକୁର ବଡ ଦୟା କରିଛନ୍ତି। ପ୍ରତିମାସରେ ସେ ଶ୍ୱଶୁର ଘରକୁ ଯାଆନ୍ତି। ଶ୍ୱଶୁରାଳୟରେ ଗାଧୁଆ ପାଧୁଆ କରି ବଡ଼ ଦେଉଳକୁ ଫେରନ୍ତି।

ଶ୍ରୀମନ୍ଦିରରେ ପାଳିତ ହେଉଥିବା ଏହି ନୀତିର ନାଁ ସାଗରବିଜେ। ପ୍ରତିମାସର ଆମାବାସ୍ୟା ତିଥିରେ ଏହି ନୀତି ପାଳିତ ହୁଏ। ଜଗନ୍ନାଥ ମହାପ୍ରଭୁଙ୍କ ଅର୍ଚ୍ଚା ବିଗ୍ରହ ଶ୍ରୀ ଅମାବାସ୍ୟା ନାରାୟଣ ସାଗର ବିଜେ ନୀତିରେ ମହୋଦଧୀ ସ୍ନାନ କରିବାକୁ ଆସନ୍ତି। 

ଶ୍ରୀମନ୍ଦିରରେ ସକାଳଧୂପ ବଢିବା ପରେ ଅମାବାସ୍ୟା ନାରାୟଣ ରତ୍ନସିଂହାସନକୁ ବିଜେ କରନ୍ତି। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ନାରାୟଣ ସ୍ଵର୍ଗଦ୍ଵାର ତଟ ମହୋଦଧିକୁ ପାଲିଙ୍କିରେ ବିଜେ କରନ୍ତି। ଏଠାରେ ସମୁଦ୍ର ଜଳଲାଗି ଓ ଆଳତି ବନ୍ଦାପନା ସମ୍ପନ୍ନ ହୋଇଥାଏ । 

ଏହାପରେ ନାରାୟଣ ହରଚଣ୍ଡୀ ସାହିସ୍ଥିତ ଯମେଶ୍ବର ମନ୍ଦିରକୁ ବିଜେ କରନ୍ତି। ସେଠାରେ ତାଙ୍କର ଫଚାମୃତ ସ୍ନାନ, ଫଚୋପଚାର ପୂଜା ଓ ଭୋଗ ନିତି ସମ୍ପାଦିତ ହେବାପରେ ଠାକୁର ବଡ଼ ଦେଉଳକୁ ପ୍ରତ୍ୟାବର୍ତ୍ତନ କରନ୍ତି।

ବୁଝିଲେ ତ ଆମ ଦିଅଁ କେଡେ ରସିକିଆ।