
ନୂଆଦିଲ୍ଲୀ,୨୩/୦୬/୨୧ (ଜିଲ୍ଲା ଖବର) : କରୋନା କାଳରେ ସୃଷ୍ଟି ପ୍ରତିକୂଳ ପରିସ୍ଥିତି ସହ ଭାରତ କିପରି ମୁକାବିଲା କରିଛି ? କିପରି ଥିଲା କେନ୍ଦ୍ର ଏବଂ ରାଜ୍ୟ ଭାଗିଦାରୀ ? ଏବଂ କିପରି ସଫଳ ପରିଣାମ ଆଣିଛି କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ପ୍ୟାକେଜ? ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ସଙ୍କଟ ସମୟରେ ଦେଶର ଅର୍ଥବ୍ୟବସ୍ଥାକୁ ନେଇ ଏକ ବ୍ଲଗ ଲେଖିଛନ୍ତି ।
କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର କିପରି କରୋନା ସମୟରେ ବିଭିନ୍ନ ପରିସ୍ଥିତିର ସାମ୍ନା କରିଛନ୍ତି ସେ ନେଇ ଏଥିରେ ଉଲ୍ଲେଖ କରିଛନ୍ତି । ପିଏମ ମୋଦି କହିଛନ୍ତି, ଯେତେବେଳେ ସାରା ବିଶ୍ବରେ ଆର୍ଥିକ ସଂକଟ ଥିଲା, ସେହି ସମୟରେ ଭାରତର ରାଜ୍ୟ ଗୁଡିକ ୨୦୨୦-୨୧ରେ ଅଧିକ ସମ୍ବଳ ସଂଗ୍ରହ କରିବାରେ ସଫଳ ରହିଛନ୍ତି । ଖୁସିରେ ଆଶ୍ଚର୍ୟ୍ୟର କଥା ଏହା ଯେ, ୨୦୨୦-୨୧ରେ ରାଜ୍ୟ ଗୁଡିକ ୧.୦୬ ଲକ୍ଷ କୋଟିର ଅତିରିକ୍ତ ଅର୍ଥ ଯୋଗାଡ କରିବାରେ ସକ୍ଷମ ହୋଇଛନ୍ତି ।
କେନ୍ଦ୍ର ଏବଂ ରାଜ୍ୟର ସହଭାଗୀତା ଯୋଗୁଁ ହିଁ ସଂସାଧନ ଗୁଡିକର ଉପଲବ୍ଧତାରେ ବୃଦ୍ଧି ସମ୍ଭବ ହୋଇଛି । ଏହାସହ ମୋଦି କହିଛନ୍ତି, କରୋନାକୁ ମୁକାବିଲା କରିବା ପାଇଁ ଆର୍ଥିକ ପଦକ୍ଷେପ ଗ୍ରହଣ କରିବା ସମୟରେ ସରକାରଙ୍କ ଲକ୍ଷ୍ୟ ଥିଲା, ଛୋଟ ବଡ ସମସ୍ତଙ୍କ ପାଇଁ ଯେପରି ଗୋଟିଏ ପ୍ରକାର ସମାଧାନ ନ ରହିବ । ୨୦୨୦ ମେ ମାସରେ ଆତ୍ମନିର୍ଭର ଭାରତ ପ୍ୟାକେଜ ଘୋଷଣା କରିଥିଲେ କେନ୍ଦ୍ର ସରକାର।
ଏଥିରେ ରାଜ୍ୟ ଗୁଡିକୁ ୨୦୨୦-୨୧ରେ ଅତିରିକ୍ତ ସମ୍ୱଳ ସଂଗ୍ରହ ପାଇଁ ଅନୁମତି ଦିଆଯାଇଥିଲା । ରାଜ୍ୟ ଗୁଡିକୁ ନିଜ ଜିଡିପିର ଅତିରିକ୍ତ ୨ ପ୍ରତିଶତ ଅର୍ଥ ଉଧାର ପାଇଁ ଅନୁମତି ଦିଆଯାଇଥିଲା । ଯେଉଁଥିରେ ଏକ ପ୍ରତିଶତ ପାଇଁ ସର୍ତ୍ତ ଥିଲା ରାଜ୍ୟ ଗୁଡିକ ନିଜର ଆର୍ଥିକ ସୁଧାର କରିବେ । ରାଜ୍ୟ ଗୁଡିକ ପ୍ରଗତିଶୀଳ ସୁଧାରକୁ ଆପଣାଇଛନ୍ତି । ଅଧିକାଂଶ ରାଜ୍ୟ କଠୋର ଆର୍ଥିକ ନୀତି ପାଳନ କରିବା ପାଇଁ ଇଚ୍ଛୁକ ଥିବା ଏଥିରୁ ସଂକେତ ମୁଳୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମହାମାରୀ ମଧ୍ୟରେ ଅଳ୍ପ ସମୟ ଭିତରେ ଲୋକାଭିମୂଖୀ ସଂସ୍କାର ଆଣିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ଏକତ୍ରିତ ହୋଇଥିଲେ। “ସାବକା ସାଥ, ସାବକା ବିକାଶ ଏବଂ ସାବକା ବିଶ୍ବାସ ଆଭିମୁଖ୍ୟ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।





