
ଗୁଣପୁର,୨୧/୬(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ଗୁଣପୁର ମହାବିଦ୍ୟାଳୟ, ଗୁଣପୁର ଏନ୍ଏସ୍ଏସ୍ ୟୁନିଟ୍ ପକ୍ଷରୁ ତା. 21.ରିଖ ସକାଳ ଆଠଟା ସମୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ଏନ୍ଏସ୍ଏସ୍ ୟୁନିଟର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଅମୀୟ ରଞ୍ଜନ ମହାନ୍ତି ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବାମଦେବ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ଯୋଗ ଆଚାର୍ଯ୍ୟ ତଥା ଆଇ.ଏନ.ଓ ର ରାଜ୍ୟ ସଂଯୋଜକ ଡକ୍ଟର ହରିଭାଇ ଆର୍ଯ୍ଯନ ଯୋଗଦେଇ ଯୋଗର ମହତ୍ତ୍ଵ ପ୍ରତିପାଦନ କରିଥିଲେ । ସେ କହିଥିଲେ ଯେ, ଯୋଗ ଶରୀର, ମନ, ଚେତନା ଏବଂ ଆତ୍ମାକୁ ଏକତ୍ର କରି ସନ୍ତୁଳନ ଆଣିଥାଏ ଏବଂ ଆମର ଦୈନନ୍ଦିନ ଚାହିଦା, ସମସ୍ୟା ଏବଂ ଚିନ୍ତାକୁ ସାମ୍ନା କରିବାରେ ସାହାଯ୍ୟ କରେ । ସେହିପରି ଆଧୁନିକ ଯୁଗରେ ଅଧିକରୁ ଅଧିକ ଶାରୀରିକ ଏବଂ ମାନସିକ ଭାବପ୍ରବଣତା ବଢୁଛି ଏବଂ ଏହାର ଫଳସ୍ୱରୂପ, ଅଧିକରୁ ଅଧିକ ଲୋକ ଶାରୀରିକ ଏବଂ ମାନସିକ ରୋଗରେ ପୀଡିତ ହେଉଛନ୍ତି । ଏସବୁର ସଫଳ ନିବାରଣାତ୍ମକ ମାର୍ଗ ହେଉଛି ଯୋଗ । ପୁଣି ବର୍ତ୍ତମାନର କରୋନା ମହାମାରୀ ସମୟରେ ଶରୀରକୁ ସୁସ୍ଥ ଓ ସୁରକ୍ଷିତ ରଖିବା ପାଇଁ ପ୍ରତିଦିନ ଯୋଗ, ପ୍ରାଣାୟାମ କରିବା ନିହାତି ଆବଶ୍ୟକ ବୋଲି ମତ ଉପସ୍ଥାପନ କରିଥିଲେ । ସେହିପରି ଅନ୍ଯତମ ସମ୍ମାନିତ ଅତିଥି ଭାବରେ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ତଥା ଏନ୍ଏସ୍ଏସ୍ ୟୁନିଟର ଉପଦେଷ୍ଟା ଶଶିଭୂଷଣ ମହାନ୍ତି ଏଥିରେ ଅଂଶଗ୍ରହଣ କରି କହିଥିଲେ ଯେ, ଯୋଗ ହେଉଛି ଏକ ସୁସ୍ଥ ଜୀବନଯାପନ କରିବାର କଳା ଏବଂ ବିଜ୍ଞାନ । ଯୋଗ କରିବାର ଉଦ୍ଦେଶ୍ୟ ହେଉଛି ଆତ୍ମ-ଜ୍ଞାନ ହାସଲ କରିବା ଏବଂ ସମସ୍ତ ପ୍ରକାର ଶାରୀରିକ ସମସ୍ୟା ଦୂର କରିବା । ଯୋଗ ମନୁଷ୍ୟର ମନ ଏବଂ ପ୍ରାଣର ଅସୀମ ସମ୍ଭାବନାକୁ ବୃଦ୍ଧି କରିଥାଏ । ଯୋଗ କରିବା ଦ୍ୱାରା ଆମେ ଭଲ ନିଦ ପାଇଥାଉ ଏବଂ ଆମ ଶରୀର ସୁସ୍ଥ ଏବଂ ଫିଟ୍ ରହିଥାଏ । ଯୋଗ ଆମକୁ ଶାନ୍ତି ଏବଂ ସୁଖ ଦେଇଥାଏ । ଏଥିରେ ପଞ୍ଜୀକୃତ 155 ଜଣ ସ୍ବେଚ୍ଛାସେବୀ ତଥା ଛାତ୍ରଛାତ୍ରୀଙ୍କ ମଧ୍ଯରୁ 100 ଜଣ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ମହାବିଦ୍ୟାଳୟର ଇଂରାଜୀ ବିଭାଗର ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର । ଅଧ୍ୟାପକ ଅମୀୟ ରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ପ୍ରାଧ୍ୟାପକ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ
ରିପୋର୍ଟ, ରାମନାଥ ମହାନ୍ତି ।







