
ନୂଆଦିଲ୍ଲୀ,୨୨/୦୬/୨୧ (ଜିଲ୍ଲା ଖବର) : ଦେଶରେ ଗୋଟିଏ ଦିନରେ ରେକର୍ଡ ଟିକାକରଣ । ୧୮ରୁ ୪୪ ବର୍ଷ ସାର୍ବଜାନୀନ ଟିକାକରଣର ପ୍ରଥମ ଦିନରେ ୮୪ ଲକ୍ଷ ଲୋକଙ୍କୁ ମିଳିଛି କରୋନା ଟିକା। ଯାହାକୁ ନେଇ ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ମୋଦିଙ୍କ ଘୋଷଣା ଅନୁସାରେ ଜୁନ ୨୧ରୁ ସାରା ଦେଶରେ ଆରମ୍ଭ ହୋଇଛି ମାସ୍ ଭ୍ୟାକ୍ସିନେସନ ।
୧୮ ବର୍ଷରୁ ୪୪ ଯାଏ ସମସ୍ତଙ୍କୁ ମାଗଣା ଟିକାକରଣ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନର ଟାର୍ଗେଟ ଥିଲା ୫୦ ଲକ୍ଷ ଟିକାକରଣ। ଯାହା ଏକ ରେକର୍ଡ ସଂଖ୍ୟା । କିନ୍ତୁ ଟାର୍ଗେଟ ୫୦ ଲକ୍ଷକୁ ଅତିକ୍ରମ କରି ପ୍ରଥମ ଦିନରେ ହିଁ ନୂଆ ରକେର୍ଡ ହୋଇଛି। ସରକାରୀ ତଥ୍ୟ ଅନୁସାରେ ଗୋଟିଏ ଦିନରେ ୮୪ ଲକ୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଇଛି । ଯାହା ପରେ ଟ୍ବିଟ କରି ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ପିଏମ ମୋଦି କହିଛନ୍ତି, ରେକର୍ଡ ସଂଖ୍ୟାରେ ଭ୍ୟାକ୍ସିନେସନ ଖୁସିର କଥା। କୋଭିଡ ୧୯ ବିରୁଦ୍ଧ ଲଢେଇରେ ଦୃଢ ଅସ୍ତ୍ର ହେଉଛି ଟିକା । ଯେଉଁମାନେ ଟିକା ନେଇଛନ୍ତି ଏବଂ ସମସ୍ତ ସମ୍ମୁଖ ଯୋଦ୍ଧା ଯେଉଁମାନେ ନାଗରିକମାନଙ୍କୁ କିପରି ଟିକା ମିଳିବ ତାହା ସୁନିଶ୍ଚିତ କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।


