
ବିଷମକଟକ,୨୧/୦୬ (ଜିଲ୍ଲା ଖବର) : ସ୍ଥାନୀୟ ସମାଜ ସଂସ୍କାରଧର୍ମୀ ସାର୍ବଜନୀନ ସଂଗଠନ ବିଶ୍ବ ବୈଦିକ ପରିବାର ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ଅନ୍ ଲାଇନ୍ ରେ ପାଳିତ ହୋଇଯାଇଛି। ଏ ଅବସରରେ ଆୟୋଜିତ ଏକ ୱେବୀନାର ରେ ଦ୍ରୁତ ଓ ସୂକ୍ଷ୍ମ ବ୍ୟାୟାମ, ସୂର୍ଯ୍ୟ ନମସ୍କାର, ଯୋଗାସନ ଓ ପ୍ରାଣାୟାମ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।
ବିଶ୍ବ ବୈଦିକ ପରିବାରର ପ୍ରତିଷ୍ଠାତା ବୈଦିକ ବିଦ୍ବାନ ସନ୍ନ୍ୟାସୀ ଶ୍ରୀ ଆତ୍ମାନନ୍ଦ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଯୋଗ ଦ୍ବାରା ମଣିଷର ଶାରିରୀକ, ମାନସିକ ଓ ବୌଦ୍ଧିକ ବିକାଶ ହୋଇଥାଏ ବୋଲି କହିଥିଲେ। ସଂପ୍ରତି ଯୋଗ କହିଲେ ଲୋକମାନେ ଯୋଗାସନ ଓ ପ୍ରାଣାୟାମ କୁ ବୁଝୁଛନ୍ତି। କିନ୍ତୁ ଯୋଗର ଆଠଟି ବିଭାଗ ରହିଛି ; ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି। ଏଥି ମଧ୍ୟରୁ ଯମ ଓ ନିୟମର ଦଶଟି ନିୟମ କୁ ମଣିଷ ନିଜ ଦିନଚର୍ଯ୍ୟାରେ ପାଳନ କରିବା ପାଇଁ ଶ୍ରୀ ଆତ୍ମାନନ୍ଦଜୀ ପରାମର୍ଶ ଦେଇଥିଲେ।
ମହାଶକ୍ତିର ବରିଷ୍ଠ ଅଧିକାରୀ ବିମଳକାନ୍ତ ପଣ୍ଡା ଦ୍ରୁତ ଓ ସୂକ୍ଷ୍ମ ବ୍ୟାୟାମ, ବରିଷ୍ଠ ଯୋଗ ପ୍ରଶିକ୍ଷକ ସିମାଞ୍ଚଳ ପଟ୍ଟନାୟକ ପ୍ରାଣାୟାମ, ସମ୍ପାଦକ ଏମ୍ ସନ୍ନ୍ୟାସୀ ରାଓ ସୂର୍ଯ୍ୟ ନମସ୍କାର ଓ ମୁଖ୍ୟ କ୍ଷେତ୍ର ପ୍ରଚାରକ ବିଦ୍ୟାଧର ଶବର ଯୋଗାସନ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ମୁଖ୍ୟ ପରିଚାଳକ ବିମଳେନ୍ଦୁ ପାଢ଼ୀ ବେଦମନ୍ତ୍ର ପାଠ କରିଥିବା ବେଳେ ଅଧ୍ୟାପକ ପ୍ରଣବ କିଶୋର ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବୈଷୟିକ ପରିଚାଳନାରେ ଶାଶ୍ବତ ପଟ୍ଟନାୟକ ସହଯୋଗ କରିଥିବା ବେଳେ ମହାଶକ୍ତି ଫାଉଣ୍ଡେସନର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହାଶକ୍ତି ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ, ବୈଦିକ ପରିବାରର ସହ ପରିଚାଳକ ଗୌତମ ମାଣ୍ଡାଙ୍ଗୀ, ସମସ୍ତ କର୍ମକର୍ତ୍ତା ଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ।
ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।


