
ଭୁବନେଶ୍ଵର, ୧୯/୦୬/୨୧ (ଜିଲ୍ଲା ଖବର) : ଅବହେଳା ଓ ନିଷ୍ପତ୍ତି ଡେରି କାରଣରୁ ଗଲା ଜୀବନ। ରାଜ୍ୟ ସରକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଦେବାଶିଷ ପାଣିଗ୍ରାହୀଙ୍କ ସମ୍ପର୍କୀୟ। ସେ କହିଛନ୍ତି ସରକାରୀ ହସ୍ପିଟାଲରେ ଏକମୋ ମେସିନ ନଥିବାରୁ ଏହା ହୋଇଛି। ମତେ ସନ୍ଦେହ ଯେ ସେ ସେମାନେ ଏକମୋ କଥା ଜାଣିଛନ୍ତି କି ନାହିଁ। ସବୁ ଡାକ୍ତର ସେଠାରେ ଥିଲେ ମାତ୍ର କେହି ଏକମୋ କଥା କହି ନଥିଲେ। ବହୁତ ବିଳମ୍ବରେ ସେମାନେ କହିଥିଲେ। ଏହା ଆମ ପାଇଁ ଦୁଖଦାୟକ ବୋଲି ସେ କହିଛନ୍ତି।
ଜୁନ ୮ରେ ଏକମୋ ପାଇଁ କୋଲକାତାକୁ ଏୟାରଲିଫ୍ଟ ହୋଇଥିଲେ ଭିଜିଲାନ୍ସ ଡିଜି । କୋଭିଡ଼ରେ ଆକ୍ରାନ୍ତ ହୋଇ ଦେବାଶିଷ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏକମୋ ଚିକିତ୍ସା ପାଇଁ ତାଙ୍କୁ କୋଲକାତା ଏୟାର ଲିଫ୍ଟ କରାଯାଇଥିଲା । ଜୁନ ୮ରେ କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ଵରକୁ ସ୍ଵତନ୍ତ୍ର ଗ୍ରୀନ୍ କରିଡର ମାଧ୍ୟମରେ ସ୍ଥାନାନ୍ତର କରାଯାଇ ଏୟାର ଲିଫ୍ଟ କରାଯାଇଥିଲା। ୧୯୯୧ ମସିହାର ବରିଷ୍ଠ ଆଇପିଏସ ଅଫିସ ଦେବାଶିଷ ପାଣିଗ୍ରାହୀ ୨୫ ଡିସେମ୍ବର ୨୦୧୬ରୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ଥିଲେ। ୨୯ ଅଗଷ୍ଟ ୧୯୬୫ରେ ଦେବାଶିଷଙ୍କ ଜନ୍ମ । ବରିଷ୍ଠ ଆଇପିଏସ ଅଧିକାରୀ ସହ ସେ ଗଳ୍ପରେ ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି । ୨୦୦୨ରେ କ୍ଷୁଦ୍ରଗଳ୍ପ ସଂକଳନ “ତଥାକଥିତ” ପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା । ଦେବାଶିଷଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।


