
• ମଜୁରି ସଂହିତା ପ୍ରଣୟନ ଓ ଶ୍ରମ ଆଇନ ସରଳୀକୃତ
• ପେନସନ ଯୋଜନାରେ ୩୩ ଲକ୍ଷ ଅସଂଗଠିତ ଶ୍ରମିକ ସାମିଲ
• ଇପିଏଫଓ ଏବଂ ଇଏସଆଇସି ସେବାରେ ଆସିଛି ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ
ଭୁବନେଶ୍ୱର, ୨୩/୧୦ : ଭୁବନେଶ୍ୱରଠାରେ ଆଞ୍ଚଳିକ ଶ୍ରମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଦବୋଧନ ଦେଇ କେନ୍ଦ୍ର ଶ୍ରମ ଏବଂ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର କହିଛନ୍ତି ଯେ ‘ଶ୍ରମିକ’ମାନେ ଯୁଗ୍ମ ତାଲିକାରେ ଆସୁଛନ୍ତି ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକଙ୍କ କଲ୍ୟାଣ ପାଇଁ ସମନ୍ୱିତ ପ୍ରୟାସ କରୁଛନ୍ତି । ଏହି ସମ୍ମିଳନୀରେ ଓଡିଶା, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବର ଆଦି ୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଶ୍ରମ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉନ୍ନତ ସମନ୍ୱୟ ପ୍ରତିଷ୍ଠା ଲାଗି ଆଞ୍ଚଳିକ ସମ୍ମିଳନୀ ସହାୟକ ହୋଇଥାଏ । କେନ୍ଦ୍ର ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ଶ୍ରମ ଆଇନ ପ୍ରଣୟନ କରାଯାଇଥାଏ କିନ୍ତୁ ରାଜ୍ୟ ସରକାର ଏହାକୁ ଲାଗୁ କରିଥାନ୍ତି ଏବଂ ସମ୍ପୃକ୍ତ ରାଜ୍ୟର ଭୌଗଳିକ ଓ ଜନସଂଖ୍ୟା ସ୍ଥିତିକୁ ଦେଖି କେନ୍ଦ୍ର ସରକାରଙ୍କ ସହିତ ଆବଶ୍ୟକ ପରାମର୍ଶ କରିବା ପରେ ସେଥିରେ ପରିବର୍ତ୍ତନ ଆଣିଥାନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ କୌଣସି ଆଇନ ସଠିକ ଭାବେ ଲାଗୁ ହେଲେ ଯାଇ ଏହାର ଉଦ୍ଦେଶ୍ୟ ସାଧିତ ହୋଇପାରିଥାଏ । ରାଜ୍ୟ ସରକାର ହିଁ ଆଇନକୁ ତୃଣମୂଳସ୍ତରରେ କାର୍ୟ୍ୟକାରୀ କରିଥାନ୍ତି ।
ଶ୍ରୀ ଗଙ୍ଗୱାର କହିଥିଲେ ଯେ ନିକଟରେ ଭାରତ ସରକାର ଦେଶରେ ଶ୍ରମଶକ୍ତିଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଚଳିତ ବର୍ଷ ଅଗଷ୍ଟ ମାସରେ ସଂସଦରେ ମଜୁରି ସଂହିତା ଅନୁମୋଦନ ଲାଭ କରିଥିଲା । ବର୍ତ୍ତମାନ ରାଜ୍ୟ ସରକାର ଏହାକୁ ଲାଗୁ କରିବା ପାଇଁ ନିୟମ ପ୍ରଣୟନ କରିବା ସହ ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ କରିବା ଉଚିତ । ଏଥିସହିତ ଅଧିକ ସଂଖ୍ୟକ ଅସଂଗଠିତ କ୍ଷେତ୍ରର ଶ୍ରମଜୀବୀଙ୍କୁ ଏହାଦ୍ୱାରା ଲାଭାନ୍ୱିତ କରିବା ଲାଗି ସଚେତନତା କାର୍ୟ୍ୟକ୍ରମ ଆୟୋଜନ କରିବା ଆବଶ୍ୟକ ।
ବୃତ୍ତିଗତ ନିରାପତ୍ତା, ସ୍ୱାସ୍ଥ୍ୟ ଓ କାର୍ୟ୍ୟ କରିବାର ସ୍ଥିତି ସଂହିତା ଲୋକସଭାରେ ଉପସ୍ଥାପନ କରାଯିବା ପରେ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ପଠାଇ ଦିଆଯାଇଛି । ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆଇନ ଯେଉଁଥିରେ ୧୩ଟି କେନ୍ଦ୍ର ଆଇନ ଅନ୍ତର୍ଭୂକ୍ତ ରହିଛି ଏବଂ ଏହା ମଧ୍ୟ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ, ନିରାପତ୍ତା ଓ କାର୍ୟ୍ୟ କରିବାର ସ୍ଥିତିକୁ ଜାହିର କରୁଛି ।
ଶ୍ରମ ଆଇନକୁ ସରଳୀକରଣ କରିବା ସହିତ, କେନ୍ଦ୍ର ସରକାର ଅସଂଗଠିତ କ୍ଷେତ୍ରର ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ ଓ ସ୍ୱାବଲମ୍ବୀ ଲୋକଙ୍କ ପାଇଁ ପେନସନ ଯୋଜନାର ଶୁଭାରମ୍ଭ କରିଛନ୍ତି । ପାଖାପାଖି ୩୩ ଲକ୍ଷ ଅସଂଗଠିତ କ୍ଷେତ୍ରର ଶ୍ରମିକ ପେନସନ ଯୋଜନାରେ ପଞ୍ଜିକୃତ ହୋଇଛନ୍ତି । କିନ୍ତୁ, ଏହି ଯୋଜନାରେ ପ୍ରାୟ ୪୦ କୋଟି ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଯୋଡ଼ିବା ଲାଗି ସମସ୍ତ ରାଜ୍ୟ ସରକାରଙ୍କ ସହଯୋଗ ଜରୁରି ବୋଲି ମନ୍ତ୍ରୀ କହିଥିଲେ ।
ସେ ଆହୁରି କହିଥିଲେ ଯେ ଇପିଏଫଓ ଏବଂ ଇଏସଆଇସି ସେବାରେ ଉନ୍ନତି ଆଣିବା ଲାଗି ଆମେ ସୂଚନା ପ୍ରଯୁକ୍ତିର ପ୍ରୟୋଗ କରୁଛୁ ଏବଂ ଏଥିରେ ଅଧିକ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଆଣିବା ପାଇଁ ପ୍ରୟାସ କରୁଛୁ । ଏହି ସମ୍ମିଳନୀ ରାଜ୍ୟ ସରକାରଙ୍କ ସହ ଉନ୍ନତ ସମନ୍ୱୟ ପ୍ରତିଷ୍ଠା ଦିଗରେ ସହାୟକ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।
ସ୍ରୋତ-ପିଆବି



