୧୭/୦୬/୨୧ (ଜିଲ୍ଲା ଖବର) : ମହାକାଶ ବିଜ୍ଞାନରେ ସୃଷ୍ଟି ହେବାକୁ ଯାଉଛି ବିପ୍ଳବ । ମହାକାଶକୁ ଯିବ କାଠ ତିଆରି ଉପଗ୍ରହ । ଏଥିପାଇଁ ୟୂରୋପିଆନ୍ ସ୍ପେସ୍ ଏଜେନ୍ସି ପ୍ରସ୍ତୁତ କରିଛି ସାଟେଲାଇଟ୍ ୱିସା ଉଡ୍ସାଟ୍ ଯୋଜନା । ଚଳିତ ବର୍ଷ ଶେଷ ବେଳକୁ ମହାକାଶକୁ ଯିବ ଏହି କାଠ ତିଆରି ଉପଗ୍ରହ ।
ଆଗକୁ ମହାକଶ ବିଜ୍ଞାନରେ ଆସିବାକୁ ଯାଉଛି ବିପ୍ଳବ । ଏଥିପାଇଁ ଏବେ ଠାରୁ ଆରମ୍ଭ ହୋଇଗଲାଣି ପ୍ରତିଯୋଗିତା । ଶେଷ ହେବାକୁ ଯାଉଛି ବ୍ୟୟ ବହୁଳ ଧାତୁ ନିର୍ମିତ କୃତିମ ଉପଗ୍ରହ ପଠାଇବାର ଯୁଗ । ଏଣିକି ମହାକାଶକୁ ଯିବ କାଠ ତିଆରି ସାଟେଲାଇଟ୍ । ପୂର୍ବରୁ ଜାପାନ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇ ଆସିଥିବା ବେଳେ ଏବେ ପ୍ରତିଯୋଗିତାରେ ବାଜି ମାରିବାକୁ ଯାଉଛି ୟୂରୋପିଆନ୍ ସ୍ପେସ୍ ଏଜେନ୍ସି ବା ଇଏସ୍ଏ । ଚଳିତ ବର୍ଷ ଶେଷବେଳକୁ ମହାକାଶକୁ ପ୍ରେରଣ କରିବ ପ୍ରଥମ କାଠ ତିଆରି କୃତିମ ଉପଗ୍ରହ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ୱିସା ଉଡ୍ସାଟ୍ ନାମକ ଏହି ମିଶନର ପରିକଳ୍ପନା କରିଛନ୍ତି ଫିନ୍ଲାଣ୍ଡ୍ର ଲେଖକ ଏବଂ ବ୍ରଡ଼କାଷ୍ଟର୍ ଜାରି ମାକିନେନ୍ ଏବଂ ତାଙ୍କ କମ୍ପାନୀ ଆର୍କଟିକ୍ ଆଷ୍ଟ୍ରୋନେଟିକ୍ସ ।
ଉଡ୍ସାଟ୍ଟି ଏକ ନାନୋ ସାଟେଲାଇଟ୍ ଭାବରେ ମହାକାଶକୁ ପ୍ରେରଣ କରାଯିବ ଯାହାର ଆକାର ରହିବ ୧୦/ ୧୦/ ୧୦ ସେଣ୍ଟିମିଟର୍ । କ୍ୟୁବ୍ସାଟ୍ ଆକାର ସୋଟେଲାଇଟ୍ଟି ସମ୍ପୂର୍ଣ୍ଣ ପ୍ଲାଇଉଡ୍ ଜାତୀୟ କାଠରେ ବାକ୍ସ ଭଳି ତିଆରି କରାଯାଉଛି ଯାହାର କୋଣରେ କେବଳ ଆଲୁମିନିୟମ୍ ବ୍ୟବହାର କରାଯିବ । ଏହା ସହିତ ଏଥିରେ ଏକ ଧାତୁ ତିଆରି ସେଲ୍ଫି ବାଡ଼ି ଲାଗିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ପୂର୍ବରୁ ଛଡ଼ା ଯାଉଥିବା ଧାତୁ ନିର୍ମିତ ସାଟେଲାଇଟ୍ ଗୁଡ଼ିକ ମହାକାଶ ଆବର୍ଜନା ସୃଷ୍ଟି କରୁଥିବାରୁ ଏପରି କାଠ ନିର୍ମିତ କୃତିମ ଉପଗ୍ରହର ପରିକଳ୍ପନା କରାଯାଇଛି । ୟୂରୋପିଆନ୍ ସ୍ପେସ୍ ଏଜେନ୍ସିର ଏହି ଉଦ୍ୟମ ସଫଳ ହେଲେ ଆଗକୁ ଜାପାନ ସମେତ ଆହୁରି ଅନେକ ଦେଶ ଏହିପରି କାଠ ନିର୍ମିତ ଉପଗ୍ରହ ମହାକାଶକୁ ପଠାଇବାର ସମ୍ଭାବନା ରହିଛି । ହୁଏତ ଏହି ଅଭିଯାନରେ ଭାରତ ମଧ୍ୟ ଆଗକୁ ସାମିଲ ହୋଇପାରେ । କାରଣ ମହାକାଶ ବିଜ୍ଞାନରେ ଭାରତ ବିଶ୍ୱର ଅନ୍ୟତମ ଆଗୁଆ ଦେଶ ଭାବରେ ପରିଚିତ ।


