
ନୂଆଦିଲ୍ଲୀ,୦୯/୦୬/୨୧ (ଜିଲ୍ଲା ଖବର) : କମୁଛି ଦେଶରେ ଦୈନିକ ସଂକ୍ରମଣ ହାର। ଧିରେ ଧିରେ କରୋନା କାବୁ ପାଉଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଦେଶରେ ୯୨ହଜାର ୫୯୬ ନୂଆ ଆକ୍ରାନ୍ତ । ଏଥିରେ ପାଞ୍ଚଟି ରାଜ୍ୟରୁ କେବଳ ୬୭ ପ୍ରତିଶତ ସଂକ୍ରମିତ ଅଛନ୍ତି । ତାମିଲନାଡୁରୁ ସର୍ବାଧିକ ୧୮ହଜାର ପଜିଟିଭ୍ ବାହାରିଛନ୍ତି ।
କେରଳରୁ ୧୫ହଜାର ୫୬୭, ମହାରାଷ୍ଟ୍ରରୁ ୧୦ହଜାର ୮୯୧, କର୍ଣ୍ଣାଟକରୁ ୯ହଜାର ୮୦୮ ଓ ଆନ୍ଧ୍ରପ୍ରଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୭ହଜାର ୭୯୬ ରହିଛି । ଏକାକୀ ତାମିଲନାଡୁରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୯ ପ୍ରତିଶତରୁ ଅଧିକ ।
ମୃତ୍ୟୁସଂଖ୍ୟା ଧିରେ ଧିରେ କମୁଛି । ୩ ହଜାର ତଳେ ରହିଛି । ୨୪ ଘଣ୍ଟାରେ ଆଉ ୨ହଜାର ୨୧୯ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୭୦୨, ତାମିଲନାଡୁରେ ୪୦୯ ଜଣ ପ୍ରାଣ ହରାଇଛନ୍ତି । କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୩ଲକ୍ଷ ୫୩ହଜାର ୫୨୮କୁ ବୃଦ୍ଧି ପାଇଛି ।ଯେଉଁଭଳି ଭାବରେ ସଂକ୍ରମଣ ହାର କମୁଛି, ଯାହାକୁ ନେଇ ଦେଶବାସୀ ସାମାନ୍ୟ ଆଶ୍ୱସ୍ତ ଲାଭ କରୁଛନ୍ତି।


