Home ଆଞ୍ଚଳିକ ଆସ ଆସ ଡାକ୍ତରଖାନା ପଛକୁ ଆସ, ଭୂତାଣୁ ନେଇକି ଯିବ !

ଆସ ଆସ ଡାକ୍ତରଖାନା ପଛକୁ ଆସ, ଭୂତାଣୁ ନେଇକି ଯିବ !

11

କୋରାପୁଟ , ୦୯/୦୬/୨୧ (ଜିଲ୍ଲା ଖବର) : ଦାୟିତ୍ୱ ହୀନତାର ନଗ୍ନ ଚିତ୍ର । କୋରାପୁଟ ସଦର ମହକୁମା କୋଭିଡ କେୟାର ସେଣ୍ଟରରେ କରୋନା ଗାଇଡଲାଇନ ଉଲଂଘନ । ହସ୍ପିଟାଲ ପରିସରରେ ଫୋପଡା ହେଉଛି ସଂକ୍ରମିତଙ୍କ ବ୍ୟବହୃତ ସାମଗ୍ରୀ । ସୁରକ୍ଷାର ସହ ସଂକ୍ରମିତଙ୍କ ବ୍ୟବହୃତ ସାମଗ୍ରୀ ନଷ୍ଟ କରିବା ନିୟମ ଥିବାବେଳେ କୋଭିଡ କେୟାର ସେଣ୍ଟରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।  

କେବଳ କୋଭିଡ୍ ସେଣ୍ଟର ଭିତରେ ନୁହଁ, ବାହାରେ ମଧ୍ୟ ଦେଖାଦେଇଛି ଖାମଖିଆଲି ଚିତ୍ର । ହସ୍ପିଟାଲ ପରିସର କାନ୍ଥକୋଣରେ ଫୋପଡା ହେଉଛି ସଂକ୍ରମିତଙ୍କ ବ୍ୟବହାର ସାମଗ୍ରୀ । ଗଦା ହୋଇଛି ମାସ୍କ, ପିପିଇ କିଟ୍ ଭଳି ସଂକ୍ରମିତଙ୍କ ବ୍ୟବହୃତ ଜିନିଷ । ପ୍ରତିଦିନ ଏମତି ଚାଲିଛି ସଂକ୍ରମିତଙ୍କ ବର୍ଜ୍ୟବସ୍ତୁ ନିଷ୍କାସନ । ଭିତରୁ ଆଣି ବାହାରେ ଫୋଫାଡି ଦେଲେ ସବୁକିଛି ସରିଯାଉଛି 

ସମସ୍ତଙ୍କ ଆଖିକୁ ଦେଖାଯାଉଛି । ହସ୍ପିଟାଲ  କର୍ତ୍ତୃପକ୍ଷଙ୍କ ନଜରରେ କାହିଁ ପଡୁନି । କୋଭିଡ କେୟାର ସେଣ୍ଟର ମୁଖ୍ୟ ପ୍ରବେଶ ପଥ କାନ୍ଥକୋଣରେ ପଡୁଛି ଏହି ସଂକ୍ରମିତଙ୍କ ବର୍ଜ୍ୟବସ୍ତୁ । ସଂକ୍ରମିତଙ୍କଠୁ ଆରମ୍ଭ କରି ହସ୍ପିଟାଲ କର୍ମଚାରୀ ସମସ୍ତେ ଦୁର୍ଗନ୍ଧ ବାରି ପାରୁଛନ୍ତି । ତଥାପି ପ୍ରତିଦିନ ଗଦା ହେଉଛି ବର୍ଜ୍ୟବସ୍ତୁ । ପ୍ରଶ୍ନ ଉଠୁଛି, କିଏ ଉଠାଇବ ସଂକ୍ରମିତଙ୍କ ବ୍ୟବହୃତ ସାମଗ୍ରୀ ।  କୋଭିଡ୍ ସେଣ୍ଟର ଏବେ ବି ୩୦ରୁ ଅଧିକ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି । ଗୋଟିଏ ପଟେ କୋଭିଡ୍ କେୟାର କର୍ତ୍ତୃପକ୍ଷ ଚୁପ୍ ବସିଛିନ୍ତି । ଅନ୍ୟପଟେ କୋରାପୁଟ ପୌରପାଳିକାର ଦାୟିତ୍ୱକୁ ନେଇ ପ୍ରଶ୍ନ ଉଠୁଛି ।

ମେଡିକାଲ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସଂସ୍ଥାକୁ ଅଳିଆ ସ୍ଥାନାନ୍ତର ପାଇଁ ଦାୟିତ୍ୱ ଦିଆଯାଇଥିବା କହିଛନ୍ତି କୋଭିଡ୍ କେୟାର ଦାୟିତ୍ୱରେ ଥିବା ମ୍ୟାନେଜମେଣ୍ଟ ଅଧିକାରୀ ପର୍ଣ୍ଣଚନ୍ଦ୍ର ଭୋଇ ।

ପ୍ରଶ୍ନ ଉଠୁଛି କିଏ ଉଠାଇବ ବର୍ଜ୍ୟବସ୍ତୁ ? ଅଳିଆ ଉଠା ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ସଂସ୍ଥା ଗଲା କୁଆଡେ ? କୋଭିଡ୍ କେୟାର ଅଧିକାରୀ କ’ଣ କରୁଛନ୍ତି ? ଆଉ କେତେ ଦିନ ଯାଏଁ ପଡି ରହିବ ଏହି ସଂକ୍ରମିତଙ୍କ ବର୍ଜ୍ୟବସ୍ତୁ ? ଗୋଟିଏ ପଟେ ସଂକ୍ରମଣ ବଢୁଛି ଅନ୍ୟପଟେ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ । ଯାହାକୁ ନେଇ କୋଭିଡ୍ ସେଣ୍ଟରକୁ ଆସୁଥିବା ଲୋକଙ୍କ ପାଇଁ ଚିନ୍ତା ବଢୁଛି ।