
ଜଟଣୀ,୮/୬(ଜିଲ୍ଲା ଖବର) : କଥାରେ ଅଛି ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ଅବତାର । କାରଣ ଜିବନମରଣ ସମସ୍ୟା ମଧ୍ୟରେ ସାଧାରଣ ମଣିଷ ନିରୁପାୟ ହୋଇ ଭଗବାନଙ୍କୁ ଡାକି ଡାକ୍ତରଙ୍କ ସହାୟତା ନେଇଥାଏ । ଭଗବାନଙ୍କ ଇଛା ଏବଂ ଡାକ୍ତରଙ୍କ ପରିଶ୍ରମରେ ହିଁ ଜଣେ ଗୁରୁତର ରୋଗୀ ଜିବନ ପାଇପାରିଥାଏ । ସାରାବିଶ୍ୱରେ ଆରମ୍ଭ ହୋଇଥିବା ମହାମାରୀ କୋଭିଡ-୧୯ ଭୟଙ୍କର ପରିସ୍ଥିତି ଓ ପ୍ରାଣଘାତକ ସମସ୍ୟା ଲୋକମାନଙ୍କୁ ଭୟଭିତ କରିପକାଇଛି । ଏଥି ମଧ୍ୟରେ ଲୋକମାନଙ୍କ ଜିବନ ବଚାଂଇବା ଲାଗି ଆଗଧାଡିର ଯୋଦ୍ଧାମାନଙ୍କ ଆପ୍ରାଣ ଚେଷ୍ଟା ଏବଂ ନିଷ୍ଠା କର୍ତବ୍ୟ ଜିବନ ବଚାଂଇବାର ରାହା ଦେଖାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହିପରି ଜଣେ ଡାକ୍ତରଙ୍କ ନିଷ୍ଠାପର ସେବା ସହିତ ସମାଜରେ ଅସହାୟମାନଙ୍କୁ ଅତୁଳନୀୟ ସହଯୋଗ ଜଟଣୀ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜଟଣୀର ପାତ୍ରପଡାସ୍ଥିତ ଜିଲାର ସର୍ବବୃହତ କୋଭିଡ କେୟାର ସେଟଂରରେ ଏହିଭଳି ଜଣେ ଡାକ୍ତରଙ୍କ ସେବା ଏବଂ ରୋଗୀମାନଙ୍କ ସହିତ ହସଖୁସି କରାଇ ସେମାନଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦେଉଥିବା ଜଣେ ଆଗଧାଡିର ଯୋଦ୍ଧାଙ୍କୁ କରୋନା ରୋଗୀମାନେ ଭଗବାନଙ୍କ ଦ୍ୱିତିୟ ଅବତାର ବୋଲି କହିଛନ୍ତି । ପାତ୍ରପଡାର ଏହି ୩୦୦ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଟଂରରେ ରୋଗୀମାନଙ୍କ ଭଗବାନ ପାଲଟିଛନ୍ତି ଡା. ରାକେଶ କଲେତ । ଡା, ରାକେଶଙ୍କୁ କୋଭିଡ କେୟାର ସେଟଂରର ସ୍ୱତନ୍ତ୍ର ଡାକ୍ତର ନିଯୁକ୍ତ କରାଯାଇଛି । ରାକେଶ ପ୍ରତିଦିନ ରୋଗୀମାନଙ୍କ ସେବା କରିବାକୁ ଯାଇ ରୋଗୀଙ୍କୁ ଚିକିତ୍ସା କରିବା ସହିତ ଏଭଳି ବିପତି ଓ କଷ୍ଟ ସମୟରେ ହସଖୁସିର ଆଳାପ ଜମାଇଥାନ୍ତି । କୋଭିଡରେ ଆକ୍ରାନ୍ତ ହୋଇ ଆସୁଥିବା ଅସହାୟ ଓ ଦୁର୍ବଳ ଶ୍ରେଣୀର ଅନେକ ଲୋକମାନେ ଆସିଥାନ୍ତି । ଯାହା ନିକଟରେ ଦୈନନ୍ଦିନ ଦାନ୍ତ ଘସିବାକୁ ବ୍ରସଟିଏ ନଥାଏ କିମ୍ବା ସାବୁନ,ତେଲ, ଗ୍ଲୁକୋଜ,ମାସ୍କ,ସାନିଟାଇଜର, ବିସ୍କୁଟ ଇତ୍ୟାଦି ନଥାଏ ସେହିବର୍ଗର ଲୋକମାନଙ୍କୁ ସେମାନଙ୍କ ଆବଶ୍ୟକନୁଯାୟୀ ସହାୟତା ଯୋଗାଇ ଦେଇଥାନ୍ତି । ଏହା ଦେଖି ବେଳେବେଳେ ରୋଗୀ ଓ ତାଙ୍କର ସମ୍ପର୍କିୟମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥାନ୍ତି । ଡାକ୍ତରଙ୍କ ଏଭଳି ଆଶ୍ୱସ୍ଥିକର ଆଳାପ ଏବଂ ସାଳିନତାରେ ରୋଗୀମାନେ ମଉଜମସ୍ତି କରିବା ସହିତ ରୋଗକୁ ମାନସିକ ସ୍ତରରେ ସାମାନ୍ୟ ଭାବିନିଅନ୍ତି । ବିଜ୍ଞାନ କହେ ରୋଗୀ ଯଦି ରୋଗକୁ ମାନସିକ ସ୍ତରରେ ସାମାନ୍ୟ ଭାବିଥାଏ ତେବେ ରୋଗଟି ଆପେଆପେ ଦୁର୍ବଳ ହେବା ସହିତ ରୋଗୀ ଶରିରରୁ ଛାଡି ଚାଲିଯାଇଥାଏ । ରୋଗୀମାନଙ୍କ ସହିତ ଏପରି ଭଲମନ୍ଦ ବୁଝିବା ଘଟଣାକୁ ନେଇ ରୋଗୀମାନେ ଡା. ରାକେଶ ସହିତ ଭାବର ଆଦାନ ପ୍ରଦାନ କରିଥାନ୍ତି । ଫଳରେ ଗୁରୁତର ରୋଗୀ ମଧ୍ୟ ନିଜକୁ ବିପଦମୁକ୍ତ ଭାବି ନେଇଥାଏ । ଏହାକୁ ନେଇ ଡା. ରାକେଶ କୁହନ୍ତି ରୋଗୀମାନଙ୍କ ସେବା କରିବା ମୋର ପେସା ହୋଇଥିଲା ବେଳେ ବର୍ତମାନ ତାହା ନିଶାରେ ପରିଣତ ହୋଇଗଲାଣି । ଏହି ମହାମାରୀ ବିପତି ସମୟରେ ନିଜ ଜିବନକୁ ଦାଉରେ ଲଗାଇ ଲୋକମାନଙ୍କ ସେବା କରିବାରେ ଯେଉଁ ଆନନ୍ଦମିଳେ ତାହା ମୋତେ ଆଉ କେଉଁଠି ମିଳିନଥାଏ ବୋଲି କହିଛନ୍ତି ରାକେଶ । ଏଭଳି ମହାମାରୀ ବିପତି ସମୟରେ ରୋଗୀଙ୍କ ଆତ୍ମୀୟ ଓ ଜ୍ଞାନ୍ତିକୁଟୁମ୍ବ ପାଖ ଲାଗୁନଥିବା ବେଳେ ଡାକ୍ତର ବେଶଧାରୀ ଏହି ମହାନ ବ୍ୟକ୍ତି ହଜାର ହଜାର ରୋଗୀଙ୍କ ସେବା କରୁଥିବା ଘଟଣାକୁ ନେଇ ଅଂଚଳରେ ଆଲୋଚନାର ବିଷୟବସ୍ତୁ ପାଲଟିଛି । ନିକଟରେ ବାଙ୍କୋଇ ଅଂଚଳର ରଙ୍ଗନାଥ ସାମନ୍ତରାୟ ମେ ୨୮ ତାରିଖରେ କୋଭିଡ ସଂକ୍ରମିତ ହୋଇ ଜଟଣୀ କୋଭିଡ କେୟାର ସେଟଂରରେ ଚିକିତ୍ସା ହୋଇଥିଲେ । ଡା. ରାକେଶ ତାଙ୍କର ଚିକିତ୍ସା କରାଇ ସ୍ୱଳ୍ପ ଦିନମଧ୍ୟରେ ସୁସ୍ଥ କରିଦେଇଥିଲେ । ତେବେ ଏନେଇ ରଙ୍ଗନାଥ ଡା.ରାକେଶଙ୍କୁ ନିଷ୍ଠାପର ସେବାଯୋଗୁଁ ବଚିଂଯାଇଥିବା କହି ଘରକୁ ଫେରିବା ସମୟରେ କାନ୍ଦି ପକାଇଥିଲେ । ସେହିପରି ଏକ ଦୃଷ୍ଟିହୀନ ଦମ୍ପତି ମଧ୍ୟ ରାକେଶଙ୍କୁ ଅଶେଷ ଅଶେଷ ପ୍ରଶଂସା ଓ ଆର୍ଶ୍ରିବାଦ ଦେଉଥିବା ଘଟଣା ସୋସିଆଲ ମିଡିଆରେ କେହିଜଣେ ବ୍ୟକ୍ତି ଭାଇରାଲ କରିଥିବା ଦେଖିବାକୁ ମିଳିଥିଲା । ତେଣୁ ଏହିଭଳି ଜଣେ ନିଷ୍ଠାପର ଡାକ୍ତରଙ୍କୁ ନେଇ ଜଟଣୀର ସ୍ୱେଛାସେବୀ ସଂଗଠନ ଜନଧିକାର ସଂଘର ରାଜ୍ୟ ସମ୍ପାଦକ ବାସୁଦେବ ସେଠୀ ଓ ଖୋର୍ଦ୍ଧାଜିଲା ଉପସଭାପତି ସଞ୍ଜୀବ କୁମାର ,ଜଟଣୀ ନଗର ପାଳିକା ସଚିବ
ହବିବୁର ରେହେମାନ,ରାଜ୍ୟ ଉପଦେଷ୍ଟା ଅନାଥ ପଟ୍ଟନାୟକ ପ୍ରମୁଖ କହିଛନ୍ତି ଯେ, ଡାକ୍ତର ହେବ ତ ଏମିତି ।
ରିପୋର୍ଟ, ସଞ୍ଜୀବ କୁମାର ।


