Tuesday, October 13, 2026
Home ଜାତୀୟ ମାନ୍ଦାବସ୍ଥା ଦୂର ଏବଂ ବିଶ୍ୱ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ପାଇଁ ବହୁପକ୍ଷୀୟ ଦୃଷ୍ଟିକୋଣ ସହ ପଦକ୍ଷେପ ଜରୁରୀ

ମାନ୍ଦାବସ୍ଥା ଦୂର ଏବଂ ବିଶ୍ୱ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ପାଇଁ ବହୁପକ୍ଷୀୟ ଦୃଷ୍ଟିକୋଣ ସହ ପଦକ୍ଷେପ ଜରୁରୀ

31
Image: PIB

ନୂଆଦିଲ୍ଲୀ, ୨୧/୧୦ : ଗତକାଲି ୱାଶିଂଟନ ଡିସିଠାରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ) ଓ ବିଶ୍ୱ ବ୍ୟାଙ୍କ ଗ୍ରୁପର ବାର୍ଷିକ ବୈଠକର ପୂର୍ଣ୍ଣକାଳୀନ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଏକ ଭାରତୀୟ ପ୍ରତିନିଧି ଦଳ ଯୋଗ ଦେଇଛନ୍ତି । ସେ ମଧ୍ୟ ଆଇଏମଏଫର ମନ୍ତ୍ରୀସ୍ତରୀୟ କମିଟି ଓ ବିଶ୍ୱ ବ୍ୟାଙ୍କର ଏକ ଉନ୍ନୟନ କମିଟିର ଶୁଭାରମ୍ଭ ଅଧିବେଶନରେ ଯୋଗଦେଇଥିଲେ । ଉନ୍ନୟନ କମିଟିର ଉଦଘାଟନୀ ଅଧିବେଶନରେ ସଦସ୍ୟମାନେ ବିଶ୍ୱର ଆର୍ଥିକ ସ୍ଥିତି ବିଷୟରେ ଆଲୋଚନା କରିଥିଲେ । ଅର୍ଥମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ବାଣିଜ୍ୟିକ ଯୁଦ୍ଧ ଓ ସଂରକ୍ଷଣବାଦ ଫଳରେ ଅସ୍ଥିରତା ସୃଷ୍ଟି ହୋଇଛି ଓ ଏହା ପୁଞ୍ଜି ଏବଂ ଦ୍ରବ୍ୟ ଓ ସେବାର ପ୍ରବାହକୁ ପ୍ରଭାବିତ କରିବ । ବିଶ୍ୱ ଅର୍ଥବ୍ୟବସ୍ଥାରେ ସୁଧାର ଲାଗି ମାନ୍ଦାବସ୍ଥା ଦୂର କରିବା ଏବଂ ବହୁପକ୍ଷୀୟ ଭାବନାକୁ ନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସେ ଆହ୍ୱାନ କରିଥିଲେ । ସେ ଆହୁରି କହିଥିଲେ ଯେ ବର୍ଦ୍ଧିତ ବାଣିଜ୍ୟିକ ସମନ୍ୱୟ, ଭୂ-ରାଜନୈତିକ ଅସ୍ଥିରତା ଓ ଅତ୍ୟଧିକ ଋଣ ହାର ଦିଗରେ ବିଶ୍ୱସ୍ତରରେ ମିଳିତ ଭାବେ ଦୃଢ଼ ପଦକ୍ଷେପ ନିଆଯିବା ଜରୁରୀ, କାରଣ ମାନ୍ଦାବସ୍ଥା ଏକ ସଂକଟରେ ପରିଣତ ହେବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିପାରିବା ନାହିଁ । ଚଳିତ ବର୍ଷ ବାର୍ଷିକ ବୈଠକ ଅବସରରେ ଆଇଏମଏଫର ଆନ୍ତର୍ଜାତିକ ମୁଦ୍ରା ଓ ଆର୍ଥିକ କମିଟି (ଆଇଏମଏଫସି)ର 40ତମ ବୈଠକ ଅନୁଷ୍ଠିତ ହେଉଛି । ଏହି ଅବସରରେ ଆଇଏମଏଫସିର ତିନୋଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଆଇଏମଏଫସିର ଉଦଘାଟନୀ ଅଧିବେଶନ ବିଶ୍ୱ ଅର୍ଥନୀତିର ସ୍ଥିତି ଓ ସମ୍ଭାବନା ଉପରେ କେନ୍ଦ୍ରିତ ଥିଲା । ଏହାଛଡ଼ା ଅକ୍ଟୋବର 15, 2019ରେ ଜାରି ହୋଇଥିବା ବିଶ୍ୱ ଅର୍ଥନୈତିକ ପରିଦୃଶ୍ୟ ଉପରେ ଆଲୋଚନା କରାଯାଇଥିଲା । ଏହା ପୂର୍ବରୁ  ସତର୍କତାମୂଳକ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଶ୍ୱ ଅର୍ଥବ୍ୟବସ୍ଥା ପ୍ରତି ସମ୍ଭାବ୍ୟ ବିପଦ ଓ ଏହାର ସ୍ଥିରତା ସମ୍ପର୍କରେ ଆଲୋଚନା ହୋଇଥିଲା । ଚଳିତ ବର୍ଷ ଧାର୍ଯ୍ୟ ଆଲୋଚନାର 15ତମ ରାଉଣ୍ଡ ଶେଷ ହେଉଥିବାରୁ ଆଜି ପ୍ରାରମ୍ଭରେ ଆଇଏମଏଫ ସମ୍ପତ୍ତି ଓ ପ୍ରଶାସନର ଏକ ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହୋଇଥିଲା । ଏହି ଅଧିବେଶନର ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ଅର୍ଥନୈତିକ ବ୍ୟାପାର ସଚିବ ଶ୍ରୀ ଅତନୁ ଚକ୍ରବର୍ତ୍ତୀ । ଏଥିପୂର୍ବରୁ ଜି20 ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ । ଏହି ବୈଠକରେ ମୁଖ୍ୟତଃ ଆନ୍ତର୍ଜାତିକ ଟିକସ ନିର୍ଦ୍ଧାରଣ ଏବଂ ସ୍ଥିର ମୁଦ୍ରା ଉପରେ ଆଲୋଚନା ହୋଇଥିଲା । ମନ୍ତ୍ରୀ ଓ ଗଭର୍ଣ୍ଣରମାନେ ମଧ୍ୟ ଜି20 ଉପମୁଖ୍ୟମାନଙ୍କଠାରୁ ଗୁଣାତ୍ମକ ଭିତ୍ତିଭୂମି ନିବେଶ, ଋଣର ସ୍ଥାୟୀତ୍ୱ, ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପାଇଁ ଆର୍ଥିକ ସହାୟତା, ପ୍ରଭାବୀ ଦେଶୀୟ ମଂଚ ନିର୍ମାଣ ଏବଂ ଆଫ୍ରିକା ସମ୍ବନ୍ଧୀୟ ପଦକ୍ଷେପ ବାବଦରେ ଆଫ୍ରିକା ଉପଦେଷ୍ଟା ମଣ୍ଡଳୀଠାରୁ ସୂଚନା ଆହରଣ କରିଥିଲେ । ଡିଜିଟାଲକରଣ ଫଳରେ ଦେଖାଦେଇଥିବା ଟିକସ ଆହ୍ୱାନର ମିଳିତ ସମାଧାନ ବିକଶିତ କରିବା ପାଇଁ ଗ୍ରହଣ କରାଯାଉଥିବା କାର୍ଯ୍ୟ ସମ୍ବନ୍ଧୀୟ ଆଲୋଚନା ଚକ୍ର ଅଧିବେଶନରେ ଅର୍ଥମନ୍ତ୍ରୀ କହିଥିଲେ ଯେ, ସଂଯୋଜନ ଓ ଲାଭାଂଶ ଆବଂଟନ ଆହ୍ୱାନ  ଦିଗରେ ଏକ ସାମଗ୍ରିକ ଦୃଷ୍ଟିକୋଣ ଗ୍ରହଣ କରିବାର ଆବଶ୍ୟକତା ରହିଛି । ଉପରୋକ୍ତ ବୈଠକ ଅବସରରେ ଅର୍ଥମନ୍ତ୍ରୀ  କେତେକ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଥିଲେ । ଏଥିରେ ସାମିଲ ରହିଛି ଋଷର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ମି.ଆଂଟୋନ ସିଲୁଆନୋଭ, କିର୍ଗିଜ ସାଧାରଣତନ୍ତ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ବକ୍ତିଗୁଲ ଜୀନବାଏଭା, ସ୍ୱିଜରଲାଣ୍ଡ ଅର୍ଥମନ୍ତ୍ରୀ ମି. ଉଲେଇ ମଉରେର, ଅଷ୍ଟ୍ରେଲୀୟ କୋଷାଧ୍ୟକ୍ଷ ମି. ଜୋଶ ଫ୍ରିଡେନବର୍ଗ ଓ ମାଳଦ୍ୱୀପ ଅର୍ଥମନ୍ତ୍ରୀ ମି. ଇବ୍ରାହିମ ଅମୀରଙ୍କ ସହ ବୈଠକ । ଏହିସବୁ ବୈଠକରେ ଉଭୟ ପକ୍ଷ ପାରସ୍ପରିକ ଲାଭ ସମ୍ବନ୍ଧୀୟ ବିଷୟ ଉପରେ ଆଲୋଚନା କରିଥିଲେ ।

ସ୍ରୋତ-ପିଆବି