
ବରଗଡ,୦୭/୦୬/୨୧ (ଜିଲ୍ଲା ଖବର) : ଟ୍ରାକ୍ଟର ଚପାରେ ୧୪ ବର୍ଷୀୟ ନାବାଳକଙ୍କର ମୃତ୍ୟୁ ଅଭିଯୋଗ । ପରିବାର ଲୋକଙ୍କ ଅସହମତି ସତ୍ତ୍ବେ ମୃତ ଦେହକୁ ପୋଡି ଦେଲେ ଟ୍ରାକ୍ଟର ମାଲିକ । ଏହି ସାଂଘାତିକ ଅଭିଯୋଗ ଆସିଛି ବରଗଡ ଜିଲ୍ଲା ଅତାବିରା ବ୍ଲକ ଖିରାପାଲି ଗାଁରୁ। ଅଭିଯୋଗ ଅନୁସାରେ ଶନିବାର ବିଳମ୍ବିତ ରାତିରେ ନରସିଂହ କାମାଙ୍କ ଟ୍ରାକ୍ଟର ଯୋଗେ ଧାନ ବିଲରୁ ଆଣୁଥିଲେ ।
ତାଙ୍କ ପାଖରେ ଦିନ ମଜୁରିଆ ଭାବେ କାମ କରୁଥିବା ୧୪ ବର୍ଷୀୟ ଅରୁଣ ବେହେରା ଟ୍ରାକ୍ଟର ଚକା ତଳକୁ ଆସିଯାଇଥିଲେ, ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ବରଗଡ଼ ଏକ ଘରୋଇ ହସ୍ପିଟାଲ, ପରେ ଅଧିକ ଚିକିତ୍ସା ପାଇଁ ବୁର୍ଲାର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ବ୍ୟବଛେଦ ହୋଇନଥିବା ଅରୁଣ ବେହେରାଙ୍କ ମୃତ ଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ମାଲିକ ନରସିଂହ କାମା । ହେଲେ ମୃତ ଅରୁଣଙ୍କ ପରିବାର ଲୋକଙ୍କ କହିବା ଅନୁସାରେ କିଛି ସମୟ ପରେ ପୁଣି ଟ୍ରାକ୍ଟର ମାଲିକ ଏକ କାଠ ବୋଝେଇ ଗାଡି ଧରିଆସି ତରବରିଆ ଭାବେ ଶବ ପୋଡ଼ିଦେବା ପାଇଁ କହିଥିଲେ । କିଛି ଲୋକଙ୍କ ସହାୟତାରେ ଶବ ପୋଡି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।



