
ନୂଆଦିଲ୍ଲୀ,୦୬/୦୬/୨୧ (ଜିଲ୍ଲା ଖବର) : ଟୁଇଟର ମନମାନି ଚଳିବନି । ସରକାରୀ ଗାଇଡଲାଇନ ମାନି ତାହାକୁ ନେଇ ଭାରତରେ କାରବାର କରିପାରିବ ଏହି ମାଇକ୍ରୋ ବ୍ଲଗିଙ୍ଗ କମ୍ପାନୀ । ହେଲେ ଏ କଥା କମ୍ପାନୀର ଦେହରେ ଗଲାନି ବୋଲି ପୁଣି ଖେଳ ଆରମ୍ଭ କରିଛି ଟୁଇଟର ।
ପ୍ରଥମେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଆଉ ତା ପରେ RSS ମୁଖ୍ୟ ମୋହନ ଭାଗବତଙ୍କ ସମେତ ସୁରେଶ ସୋନି, ଅରୁଣ କୁମାର, ସୁରେଶ ଯୋଶୀ ପ୍ରମୁଖଙ୍କ ଟୁଇଟର ଆକାଉଣ୍ଟରୁ ବ୍ଲୁ ଟିକ୍ ଉଠାଇ ଦେଇଛି।
ସକାଳେ ଏ ଖବର ପ୍ରକାଶ ପାଇବା ପରେ ସାରା ଦେଶରେ ପ୍ରତିକ୍ରିୟା ଦେଖା ଦେଇଥିଲା । ସମାଲୋଚନାର ସରବ୍ୟ ହେବାରୁ କମ୍ପାନୀ ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରେ ପୁଣି ବ୍ଲୁ ଟିକକୁ ସ୍ଥାନ ଦେଇଛି। ହେଲେ ଅନ୍ୟ ନେତାମାନଙ୍କ ଆକାଉଣ୍ଟରେ ବ୍ଲୁ ଟିକ୍ ପୁନଃ ସ୍ଥାପିତ ହୋଇନି।
ସୂଚନାଯୋଗ୍ୟ ଯେ, ଟ୍ୱିଟରର ନିୟମ ମୁତାବକ ଯଦି ୬ ମାସ ଯାଏ ଜଣେ ନିଜ ଆକାଉଣ୍ଟକୁ ଚଳାଇବେ ନାହିଁ, ତା’ହେଲେ ଏହାକୁ ଇନ ଆକ୍ଟିଭ ଭାବେ ବିବେଚନା କରାଯିବ। ଭେରିଫିକେସନ ଷ୍ଟାଟସ ମଧ୍ୟ ପ୍ରତ୍ୟାହୃତ ହେବ। ଏହି ଆଧାରରେ ଉପର ବର୍ଣ୍ଣିତ ନେତାମାନଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ପ୍ରତ୍ୟାହାର ହୋଇଥିଲା । ତଥାପି ଲୋକେ ଏହାକୁ କେନ୍ଦ୍ର ସରକାରଙ୍କ କଡା ଆଭିମୁଖ୍ୟ ପ୍ରତି ଉେଦ୍ଦେଶ୍ୟମୂଳକ ଆଚରଣ ବୋଲି କହୁଛନ୍ତି ।
କିନ୍ତୁ ସେ ଯାହାବି ହେଉନା କାହିଁକି ଦେଶର ନୂଆ ଡିଜିଟାଲ ଆଇନକୁ ପାଳନ କରିବା ପାଇଁ କେନ୍ଦ୍ର ସରକାର ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଶେଷ ଚେତାବନୀ ଦେଇଛନ୍ତି। ଟ୍ୱିଟର ତୁରନ୍ତ ନୂଆ ଡିଜିଟାଲ ଅନୁଯାୟୀ ଭାରତରେ ଅଭିଯୋଗ ଶୁଣିବା ଓ ସମାଧାନ କରିବା ପାଇଁ ଅଧିକାରୀ ନିଯୁକ୍ତ କରୁ ବୋଲି କୁହାଯାଇଛି । ନଚେତ୍ ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ କେନ୍ଦ୍ର କହିଛି ।


