
ଭୁବନେଶ୍ଵର, ୦୬/୦୬/୨୧ (ଜିଲ୍ଲା ଖବର) : ବାତ୍ୟା ୟଶର କ୍ଷୟକ୍ଷତି ଆକଳନ ପାଇଁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛି କେନ୍ଦ୍ରୀୟ ଟିମ । ଗୄହ ବିଭାଗ ଯୁଗ୍ମ ସଚିବ ସୁନିଲ ବଗୱନଙ୍କ ନେତୄତ୍ବରେ ଆସୁଛନ୍ତି ସାତ ଜଣିଆ ଟିମ । ଆଜି ରାତି ୯ଟାରେ ଭୁବନେଶ୍ବରରେ ପହଞ୍ଚିବା ପରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପାଇଁ ବାହାରିବ ଟିମ । ବାତ୍ୟା ପ୍ରଭାବିତ 4 ଜିଲ୍ଲା ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା ଓ ମୟୁରଭଞ୍ଜ ଗସ୍ତ କରି ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ମେ ୨୮ରେ ଓଡ଼ିଶା ଗସ୍ତରେ ଆସି ଆକାଶ ମାର୍ଗରୁ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପରେ ସଙ୍ଗେସଙ୍ଗେ ଓଡ଼ିଶାକୁ ୫୦୦ କୋଟିର ପ୍ୟାକେଜ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ।
ବିପର୍ଯ୍ୟୟ ମୁକାବିଲା ପାଇଁ ଏସଡିଆରଏଫ ଫଣ୍ଡରେ ପୂର୍ବରୁ ଥିଲା ୧୧୯୮ କୋଟି ଟଙ୍କା । ଏପ୍ରିଲ ୨୯ରେ ଏସଡିଆରଏଫ ପାଣ୍ଠିକୁ ଅତିରିକ୍ତ ୬୪୧.୬୦ କୋଟି ଟଙ୍କା ପ୍ରଦାନ କରିଥିଲେ କେନ୍ଦ୍ର ସରକାର । କୋଭିଡ ସହାୟତା ପାଇଁ ମଧ୍ୟ ଏହି ପାଣ୍ଠିକୁ ୩୩୩.୮ କୋଟି ଟଙ୍କା ଦେଇଥିଲା କେନ୍ଦ୍ର ।
ଏବେ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଅଛି ମୋଟ ୨୬୭୩.୪ କୋଟି ଟଙ୍କା । ତେବେ ବାତ୍ୟା ୟଶରେ ମୋଟ ୬୧୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା କହିଥିଲେ ମୁଖ୍ୟମନ୍ତ୍ରୀ । ଏଥିରେ ୫୨୦ କୋଟିର ସରକାରୀ ଭିତ୍ତିଭୂମି ଓ ୯୦ କୋଟିର ବେସରକାରୀ ସମ୍ପତ୍ତି ରହିଛି । ଏବେ ଏସଡିଆରଏଫ ପାଣ୍ଠିରେ ଥିବା ଅର୍ଥକୁ ବିନିଯୋଗ କରି ବାତ୍ୟା ପ୍ରପୀଡ଼ିତ ଅଞ୍ଚଳର ଭିତ୍ତିଭୂମି ପୁନରୁଦ୍ଧାର ସହ ପ୍ରଭାବିତ ଲୋକଙ୍କୁ ରାଜ୍ୟ ସରକାର ସହାୟତା କରି ପାରିବେ ।


