
ସୁନ୍ଦରଗଡ଼,୫/୬(ଜିଲ୍ଲା ଖବର) : ସୁନ୍ଦରଗଡ଼ ଜିଲ୍ଲାରେ ତୃଣମୂଳ ସ୍ତରର ଲୋକଙ୍କୁ କୋଭିଡ୍ ମହାମାରୀ ସମ୍ପର୍କରେ ସଚେତନ କରିବା ଲାଗି ଏକ ସଚେତନତା ରଥ ଗଡ଼ିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶନିବାର ଦିନ ଏହି ରଥକୁ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଶୁଭାରମ୍ଭ କରିଛନ୍ତି। ଏହି ରଥ ସାରା ଜିଲ୍ଲା ବୁଲି ଲୋକଙ୍କୁ ଅଡିଓ ଭିଜୁଆଲ ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟିବ।
ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ୟୁନିସେଫ୍ ଓଡ଼ିଶାଙ୍କ ମିଳିତ ସହଯୋଗରେ ଏଭଳି ପଦକ୍ଷେପ ନିଆଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ରଥ ବୁଲି ଲୋକଙ୍କୁ ସଚେତନ କରୁଛି। ସୁନ୍ଦରଗଡ଼ ଜିଲ୍ଲାରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ରଥ ବୁଲିବ।
‘‘ଲୋକମାନଙ୍କୁ କୋଭିଡ୍ ଉପଯୋଗୀ ଆଚରଣ ସମ୍ପର୍କରେ ସଚେତନ କରିବା ଲାଗି ଏକ ରଥ ଶୁଭାରମ୍ଭ କରାଯାଇଛି। ଏହି ରଥ ଜିଲ୍ଲାର ବିଭିନ୍ନ ଗାଁକୁ ଯାଇ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା, ଭଲଭାବେ ହାତ ଧୋଇବା ଏବଂ ଲକ୍ଷଣ ଦେଖାଦେଲେ ଟେଷ୍ଟିଂ କରିବା ଆଦି ସମ୍ପର୍କରେ ସଚେତନ କରିବ’’, କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର।
ଏହି ସଚେତନତା ରଥରେ ଏଲଇଡି ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଲୋକ ସଙ୍ଗୀତ ଓ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅନିଲ କେରକେଟାଙ୍କ ସମେତ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ରିପୋର୍ଟ, ବିଶ୍ବରଂଜନ ହୋତା





