
ଭୁବନେଶ୍ୱର,୦୪/୦୬/୨୧ (ଜିଲ୍ଲା ଖବର) : ରଜରେ ଭିଜିବ ସାରା ଓଡିଶା । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥିବା ବେଳେ ରଜ ବେଳକୁ ଓଡ଼ିଶା ପ୍ରବେଶ କରିବା ନେଇ ପୂର୍ବାନୁମାନ କରାଯାଉଛି । ୧୧ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହାକି ମୌସୁମୀକୁ ବାଟ କଢାଇବ ।
୫ ତାରିଖ ପରେ ପଶ୍ଚିମା ପବନ ଉତ୍ତରକୁ ପ୍ରବାହିତ ହେବ । ୧୦ ବେଳକୁ ଘୂର୍ଣ୍ଣିବଳୟ ଓ ପରେ ଲଘୁଚାପ କ୍ଷେତ୍ର ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ସ୍ଥଳଭାଗରେ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ସୂଚନା ମିଳିଛି।
ଏବେ ରାଜ୍ୟରେ କିଛି ଜିଲ୍ଲାରେ ପ୍ରାକ୍-ମୌସୁମୀ ବର୍ଷା ଆରମ୍ଭ ହୋଇଛି । ଆସନ୍ତା ୨ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ତେବେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ମୌସୁମୀକୁ ବାଟ କଢାଇପାରେ ବୋଲି ଆକଳନ କରାଯାଉଛି।


