
ଭୁବନେଶ୍ୱର, ୦୩/୦୬/୨୧ (ଜିଲ୍ଲା ଖବର) : ପ୍ରବଳ ଗରମ ଅନୁଭୂତ ହେଉଛି। ଖରା ସାଙ୍ଗକୁ ଗୁଳୁଗୁଳିରେ ଲୋକେ ଅତିଷ୍ଠ ହୋଇପଡ଼ୁଛନ୍ତି।ଏଭଳି ସ୍ଥିତିରେ ଆଉ ମାତ୍ର କେଇ ଘଣ୍ଟା ପରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆଉ ଧିରେ ଧିରେ ଭାରତକୁ ଚଳିତ ଥରର ପ୍ରଥମ ମୌସୁମୀ ସ୍ପର୍ଶ କରିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମ୍ଡି) ପକ୍ଷରୁ କୁହାଯାଇଛି।
ସୂଚନାନୁସାରେ, କେରଳ ଆକାଶ ଏବେ ମେଘାଚ୍ଛନ୍ନ ହେବାରେ ଲାଗିଛି। ଏଥିସହ ଦକ୍ଷିଣ ଆରବ ସାଗରର ଅଞ୍ଚଳରେ ପଶ୍ଚିମା ପବନ ଶକ୍ତିଶାଳୀ ହେବାରେ ଲାଗିଛି। ଉପଗ୍ରହ ଚିତ୍ରରୁ ଜଣାପଡ଼ୁଛି ଯେ କେରଳ ଉପକୂଳ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ଆରବ ସାଗର ଅଞ୍ଚଳର ଆକାଶରେ ମେଘ ଘନୀଭୂତ ହେଉଛି।
ଅନ୍ୟପଟେ ରଜ ଆଡ଼କୁ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହେବ ବୋଲି ପୂର୍ବାନୁମାନ କରାଯାଉଛି। ଏଥିସହ ଏବେ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଜାରି ରହିଛି। ଆସନ୍ତା ୨ ଦିନ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।


