
ବଲାଙ୍ଗୀର, ୦୨/୦୬/୨୧ (ଜିଲ୍ଲା ଖବର) : ପ୍ରେମ ମାନେ ନାହିଁ ଛୋଟ-ବଡ। ଦେଖେନାହିଁ ମନର ମଣିଷ କ’ଣ କରୁଛି। ଭାବର ଆଦାନ ପ୍ରଦାନ ଓ ଦୁଇ ମନର ମିଳନରେ ହୋଇଥାଏ ପ୍ରେମ। ନିଜର ଜୀବନ ସାଥି ପାଇଁ ସର୍ବସ୍ଵ ସମର୍ପଣ କରିବାକୁ ଆହ୍ଵାନ ଦେଇଥାଏ ପ୍ରେମ। ପ୍ରେମ ଆପଣଙ୍କୁ ଏପରି କରିଦିଏ ଯେ, ଆପଣ ଭଲ-ମନ୍ଦ ସବୁ ଭୁଲି ଯାଆନ୍ତି। ମନରେ ରୁହେ କେବଳ ପ୍ରେମ। ଏହାର ଏକ ଚିତ୍ର ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।
ପ୍ରେମ ଆଗରେ ହାର ମାନିଛି ବୟସ। ପାଖରେ ସ୍ବାମୀ ଓ ଦୁଇପୁଅ ଥାଇ ମଧ୍ୟ ପଡିଶା ଘର ଯୁବକଙ୍କ ପ୍ରେମରେ ପଡିଲେ ବିବାହିତ ମହିଳା। ସବୁଠାରୁ ବଡକଥା ହେଉଛି ନିଜଠାରୁ ଦଶ ବର୍ଷର ସାନ ଯୁବକଙ୍କ ସହ ଫେରାର ହୋଇ ସେ ଏବେ ମନ୍ଦିରରେ ବିବାହ କରିଛନ୍ତି।
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଅନକାମୋରା ଗାଁର ଭଜମନ ବାରଲେ ବେଡିଆ ସବିତା ବାରଲେ ବେଡିଆଙ୍କୁ ବିବାହ କରିଥିଲେ। ହସ ଖୁସିରେ ଘର ସଂସାର କରିବା ସ୍ବପ୍ନ ଦେଖିଥିଲେ ଆଉ ସମୟ ଅତିବାହିତ ହେବା ପରେ ଦୁଇଟି ସନ୍ତାନର ମା ମଧ୍ୟ ହୋଇଛନ୍ତି । ବଡ ପୁଅ ୪ ବର୍ଷର ହୋଇଥିବା ବେଳେ ଛୋଟ ପୁଅକୁ ଦେଢ ବର୍ଷ। ସ୍ବାମୀ ଘରେ ନଥିବା ସମୟରେ ଲୁଚିଛପି ପଡିଶା ଘରର ୨୨ ବର୍ଷୀୟ ଯୁବକ ମୁକେଶ ବେହେରାଙ୍କୁ ମନ ଦେଇ ବସିଲେ। ଅନେକ ଦିନ ଲୁଚିଛପି ପ୍ରେମ କରିବା ପରେ ଗତ ଏକମାସ ତଳେ ସ୍ବାମୀ ଓ ଦୁଇପୁଅକୁ ଛାଡି ନିଜଠାରୁ ୧୦ ବର୍ଷ ସାନ ପ୍ରେମିକା ସହ ଫେରରା ହୋଇଥିଲେ। ଏନେଇ ସବିତାଙ୍କ ସ୍ବାମୀ ଭଜମନ ଖପ୍ରାଖୋଲ ଥାନାରେ ଦ୍ବାରସ୍ଥ ହେଲେ। ପୋଲିସ ଘଟଣାକୁ ଗୁରୁତର ସହ ନେଇ ଦୁଇଜଣଙ୍କୁ ଖୋଜାଖୋଜି କଲା। ଆଉ ବାହାର ଜିଲ୍ଲାରୁ ଦୁଇଜଣଙ୍କୁ ଉଦ୍ଧର କଲା ପୋଲିସ।
ଅନ୍ୟ ଯୁବକ ସହ ଫେରାର ହୋଇଥିବାରୁ ଶାଶୁଘର ଲୋକ ଗ୍ରହଣ କଲେ ନାହିଁ ,ସେପଟେ ବାପଘର ଲୋକ ମଧ୍ୟ ଘରେ ପୁରେଇଦେଲେ ନାହିଁ ସବିତାକୁ। ଫଳରେ ପୋଲିସ ସବିତାଙ୍କୁ ଏକମାସ ହେଲା ସୁଧାର ଗୃହରେ ରଖିଥିଲା। ପରେ ପୋଲିସ ସମାଧାନର ବାଟ ବାହାର କରି ଖପ୍ରାଖୋଲ ଥାନାରେ ସ୍ବାମୀଙ୍କ ଉପସ୍ଥିତରେ ସବିତା ବାରେଲବେଡିଆ ସହ ପ୍ରେମିକ ମୁକେଶ ବେହେରାଙ୍କ ବିବାହ କରାଇଛି। ଦେଢ ବର୍ଷର ପୁଅକୁ ଆଡେଇ ଦେଇ ପର ପୁରୁଷ ସହ ପ୍ରେମ କରିବା ସବିତାଙ୍କୁ ମହଙ୍ଗା ପଡିଛି। ପ୍ରେମ ଯେ ଏତେ ଅନ୍ଧ ହୋଇପାରେ ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି। ଏହି ଘଟଣାକୁ ନେଇ ଖପ୍ରାଖୋଲ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ହେଉଛି।



