
ପୁରୀ,୦୨/୦୬/୨୧ (ଜିଲ୍ଲା ଖବର) : ରାତି ପାହିଲେ ଶ୍ରୀକ୍ଷେତ୍ର ଭଉଁରୀ। ପରମ୍ପରା ଅନୁଯାୟୀ ଭଉଁରୀ ଅବସରରେ ପ୍ରତ୍ୟେକ ରଥର ଦୁଇଟି ଚକରେ ଗୋଟିଏ ଲେଖାଏଁ ଅଖ ଡେରା ହେବାର ବିଧିବିଧାନ ରହିଛି । ଏହାକୁ ଦୃଷ୍ଟିରେ ରଖି ମହାରଣା ସେବକଙ୍କ ଦ୍ୱାରା ଆବଶ୍ୟକ ସଂଖ୍ୟକ ଅଖ ଓ ଚକ ନିର୍ମାଣ ଶେଷ ହୋଇଛି ।
ଗତକାଲି ସୁଦ୍ଧା ତିନି ରଥର ୪୨ଟି ଚକ ମଧ୍ୟରୁ ୧୮ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଅନ୍ୟ ତୁମ୍ଵ ମାନଙ୍କରେ ଅର ଓ ପହି ସଂଯୋଗ କରାଯାଉଛି । ସେପଟେ ରୂପକାର ସେବାୟତମାନେ କଣଗୁଜରେ ସିଂହ ବିରାଳ ମୂର୍ତ୍ତି ଖୋଦେଇ କାମ ଜାରି ରଖିଥିବା ବେଳେ ଦୋଳଵେଦୀ ସ୍ଥିତ କମାରଶାଳରେ ଓଝା ମହାରଣା ମାନଙ୍କ ଦ୍ବାରା ତିନିରଥର ତୁମ୍ଵ ପାଇଁ ପନ୍ଦାରୀ, ପନ୍ଦାରୀ ଚାବି ଓ ଲୀହାବଳା ପ୍ରସ୍ତୁତ କରାଯାଉଛି। ସେପଟେ ବାୟବବଲ୍ ବ୍ୟବସ୍ଥା ମଧ୍ୟରେ ରଥଖଳାରେ ରଥନିର୍ମାଣ କାର୍ୟ୍ୟ ଖୁବ୍ ଦ୍ରୁତଗତିରେ ଆଗେଇ ଚାଲିଛି। ଏପର୍ୟ୍ୟନ୍ତ ରଥଖଳାରେ ସମୁଦାୟ ୨୬ ଜଣ ରଥନିର୍ମାଣ ସେବାୟତ କରୋନାରେ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୧୮ ଜଣ ସୁସ୍ଥ ହୋଇ ରଥକାମରେ ନିୟୋଜିତ ହୋଇଥିବା ଜିଲ୍ଲାପାଳ
ସୂଚନା ଦେଇଛନ୍ତି।



