Home ଆଞ୍ଚଳିକ ସୁନ୍ଦରଗଡ଼ରେ କୋଭିଡ୍ ଟିକାକରଣ *ଜିଲ୍ଲା କାରାଗାରରେ କଏଦୀ ଓ ଆସ୍ଥା ଗୃହରେ ମାନସିକ ଭିନ୍ନକ୍ଷମଙ୍କ ପାଇଁ...

ସୁନ୍ଦରଗଡ଼ରେ କୋଭିଡ୍ ଟିକାକରଣ *ଜିଲ୍ଲା କାରାଗାରରେ କଏଦୀ ଓ ଆସ୍ଥା ଗୃହରେ ମାନସିକ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ

13

ସୁନ୍ଦରଗଡ଼,୨/୬(ଜିଲ୍ଲା ଖବର) : ସୁନ୍ଦରଗଡ଼ ଜିଲ୍ଲାରେ ଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ କୋଭିଡ୍ ଟିକା ଦେବା ଲାଗି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ମଙ୍ଗଳବାର ଦିନ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ସୁନ୍ଦରଗଡ଼ ଜିଲ୍ଲା କାରାଗାରରେ ଥିବା ୪୫ ପ୍ଲସ୍ ବର୍ଗର କଏଦୀ ଏବଂ ଆସ୍ଥା ଗୃହରେ ରହୁଥିବା ମାନସିକ ଭିନ୍ନକ୍ଷମଙ୍କୁ ଟିକା ଦିଆଯାଇଛି।

ଜିଲ୍ଲା କାରାଗାରରେ ଥିବା ୪୩୯ ଜଣ କଏଦୀଙ୍କ ଭିତରୁ ୮୬ ଜଣ ୪୫ ପ୍ଲସ୍ ବର୍ଗର କଏଦୀ ଟିକା ନେଇଛନ୍ତି। ଅନ୍ୟ କଏଦୀମାନଙ୍କୁ ପର୍ଯ୍ୟାୟକ୍ରମେ ଟିକା ଦିଆଯିବ। ଜେଲରେ କାର୍ଯ୍ୟରତ କର୍ମଚାରୀମାନେ ପୂର୍ବରୁ ଟିକା ନେଇଛନ୍ତି। ଜେଲକୁ କୋଭିଡ୍ ସଂକ୍ରମଣରୁ ଦୂରେଇ ରଖିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଉଛି।

ସେହିପରି ମାନସିକ ଭିନ୍ନକ୍ଷମମାନଙ୍କୁ ଆଶ୍ରୟ ଦେଇ ସେମାନଙ୍କୁ ଚିକିତ୍ସା ପ୍ରଦାନ କରିବା ଲାଗି ସୁନ୍ଦରଗଡ଼ରେ ଆସ୍ଥା ଗୃହ ରହିଛି। ଏଠାରେ ଥିବା ୧୦୫ ଜଣ ଅନ୍ତେବାସୀ ଏବଂ ୮ ଜଣ କର୍ମଚାରୀଙ୍କୁ ମଧ୍ୟ ଆଜି ଟିକା ଦିଆଯାଇଛି।

ଜିଲ୍ଲା କାରାଗାର ଏବଂ ଆସ୍ଥା ଗୃହରେ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଉପସ୍ଥିତ ରହି ଅନୁଧ୍ୟାନ କରିଥିଲେ। ଏହି ସ୍ୱତନ୍ତ୍ର ଟିକାଦାନ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏପିଏମ ସତ୍ୟବ୍ରତ ପାଣିଗ୍ରାହୀ ଏବଂ ଆଇସିଏ ସଂଯୁକ୍ତା ମହାନ୍ତି ପରିଚାଳନା କରିଥିଲେ।

ରିପୋର୍ଟ, ବିଶ୍ବରଂଜନ ହୋତା