
ବେଲଗୁଣ୍ଠା,୨/୬(ଜିଲ୍ଲା ଖବର) : ଦେଶରେ କରୋନାକୁ ପ୍ରତିହତ କରିବାକୁ ଜନ ସଚେତନତା ସହ ଟୀକାକରଣକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ବିଭିନ୍ନ ସ୍ଥାନରେ କିନ୍ତୁ ଟୀକାକରଣ ଯୋଗୁଁ ଜ୍ଵର ହୋଇଯିବା, ଟୀକା ନେଇ ମୃତ୍ୟୁ ବରଣ କରିବା ଭଳି ଗୁଜବ ପ୍ରଚାର ଯୋଗୁଁ ବହୁ ଲୋକ ଟୀକାକରଣ କେନ୍ଦ୍ରକୁ ଆସିବାକୁ ଭୟ କରୁଛନ୍ତି I ଏହିଭଳି ପରିସ୍ଥିତିରେ ବେଲଗୁଣ୍ଠା ବ୍ଲକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ଼କ୍ରସ୍ ସ୍ଵେଚ୍ଛାସେବୀ ମାନେ ଟୀକାକରଣ ଉପରେ ଜନ ସାଧାରଣଙ୍କୁ ସଚେତନ କରିବା ପାଇଁ ଆଗେଇ ଆସିଛନ୍ତି I ଏହି ଅବସରରେ ସୋମବାର ଦିନ ଯୁବ ରେଡ଼କ୍ରସ୍ ଜିଲ୍ଳା ସଂଯୋଜକ ବି.ଗୋବିନ୍ଦ ରାଓଙ୍କ ନେତୃତ୍ୱରେ ଯୁବ ରେଡ଼କ୍ରସ୍ ସ୍ଵେଚ୍ଛାସେବୀ ମାନଙ୍କ ଦ୍ୱାରା ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କୋଭିଡ-19 ଟୀକାକରଣ ସଚେତନତା ରଥ ଉଦ୍ଘାଟିତ ହୋଇଯାଇଛି I ଏହା ସହିତ ପ୍ରାଧ୍ୟାପକ ଶ୍ରୀ ରାଓଙ୍କ ନିର୍ଦ୍ଦେଶନାରେ ପଥ ପ୍ରାନ୍ତ ନାଟକ ଏବଂ କରୋନା ସଚେତନତା ସଙ୍ଗୀତ ମାଧ୍ୟମରେ ଲୋକଙ୍କୁ ଉପଯୁକ୍ତ ସମୟରେ କରୋନା ଟୀକା ନେବା ସହିତ ଟୀକା ନେବା ପରେ ମଧ୍ୟ ମାସ୍କ ବ୍ୟବହାର, ସ୍ଵଚ୍ଛତା ଏବଂ ସାମାଜିକ ଦୂରତା ରକ୍ଷା ପ୍ରତି ଧ୍ୟାନ ଦେଇ କରୋନା ପ୍ରତି ସତର୍କ ରହିବାକୁ ସଚେତନ କରାଯାଇଥିଲା I ପ୍ରାଧ୍ୟାପକ ବି ଗୋବିନ୍ଦ ରାଓଙ୍କ ରଚିତ ପଥ ପ୍ରାନ୍ତ ନାଟକଟିରେ ସ୍ଵେଚ୍ଛାସେବୀ କାହ୍ନୁ ସ୍ୱାଇଁ, ସମୀର ଗୌଡ଼, ଜୟରାମ ପ୍ରଧାନ, ସାଗର ସ୍ଵାଇଁ ପ୍ରମୁଖ ଅଭିନୟ କରି ଲୋକଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ I ଆଗାମୀ ଦିନରେ ଏହି ସଚେତନତା ରଥ ଅଞ୍ଚଳର ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କୁ ସଚେତନ କରିବ ବୋଲି ଜିଲ୍ଳା ସଂଯୋଜକ ଶ୍ରୀ ରାଓ ସୂଚନା ଦେଇଛନ୍ତି I
ରିପୋର୍ଟ-ଶିବରାମ ଚୌଧୁରୀ



