
୩୧/୦୫/୨୧ (ଜିଲ୍ଲା ଖବର) : ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ତମାଖୁ ଉତ୍ପାଦନ, ବିକ୍ରି, ସଂରକ୍ଷଣ, ବିତରଣ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି । ମାତ୍ର ଏହା ନାଲି ଫିତା ତଳେ ଚାପି ହୋଇ ରହିଯାଇଛି । ବିଭିନ୍ନ ସ୍ଥାନରେ ଖୋଲାଖୋଲି ବିକ୍ରି ହେଉଛି ତମାଖୁ ଜାତୀୟ ଦ୍ରବ୍ୟ । ବିଶେଷ କରି ସ୍କୁଲ ନିକଟରେ ମଧ୍ୟ ଏହା ବିକ୍ରି ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ଆସୁଛି। ବିଶ୍ୱର ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଏବେ ଚ୍ୟାଲେଞ୍ଜ ସୃଷ୍ଟି କରିଛି ଧୂମପାନ ପ୍ରବଣତା ।
ନିୟମ ହୋଇଥିଲା ରାଜ୍ୟର କୌଣସି ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି ହେବ ନାହିଁ । ଏଥିପାଇଁ କଡା ପଦକ୍ଷେପ ନିଆଗଲା । କୋଟପା ବା ସିଓଟିପିଏ-୨୦୦୩ ଅନୁସାରେ କୌଣସି ବ୍ୟକ୍ତି ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି କରିପାରିବେ ନାହିଁ କିମ୍ବା ସ୍କୁଲ ପରିସର ଠାରୁ ପାଖାପାଖି ୧୦୦ ମିଟର ଦୂରତା ମଧ୍ୟରେ ୧୮ ବର୍ଷରୁ କମ ବୟସର ବ୍ୟକ୍ତିଙ୍କୁ ଦେଇପାରିବେ ନାହିଁ ।
କେବଳ ସେତିକି ନୁହେଁ,୨୦୧୩ ମସିହାରେ ରାଜ୍ୟ ସରକାର ମଧ୍ୟ ଏହାର ଉତ୍ପାଦନ, ବିକ୍ରି, ସଂରକ୍ଷଣ ଏବଂ ବିତରଣ ଉପରେ କଟକଣା ଲଗାଇଛନ୍ତି । କିନ୍ତୁ ଏସବୁ ରହିଗଲା ଖାତା କଲମରେ । ଫାଇଲର ନାଲି ଫିତା ତଳେ । ରାଜ୍ୟରେ ବିଭିନ୍ନ ସ୍ଥାନରେ ଖୋଲାଖୋଲି ବିକ୍ରି ହେଉଛି ତମାଖୁ ଜାତୀୟ ଦ୍ରବ୍ୟ । ବିଶେଷ କରି ସ୍କୁଲ ନିକଟରେ ମଧ୍ୟ ଏହା ବିକ୍ରି ହେଉଥିବା ଅଭିଯୋଗ ମାନ ଆସୁଛି ।
– ସାରା ବିଶ୍ବ ପାଇଁ ବଢ଼ିଲା ଚିନ୍ତା
– ଏବେ ରେକର୍ଡ଼ ସ୍ତରରେ ପହଁଚିଛି ବିଶ୍ବରେ ଧୂମପାନକାରୀଙ୍କ ସଂଖ୍ୟା
– ଗବେଷଣା ଅନୁସାରେ ଏବେ ୧୧୦ କୋଟି ଲୋକ ଅଭ୍ୟସ୍ତ ଅଛନ୍ତି ଧୂମପାନରେ
– ଧୂମପାନ ପାଇଁ ସବୁଠୁଁ ଅଧିକ ଆଗ୍ରହୀ ହେଉଛନ୍ତି ଯୁବବର୍ଗ
– ଧୂମପାନ ଯୋଗୁଁ ୨୦୧୯ରେ ମରିଛନ୍ତି ୮୦ ଲକ୍ଷ ଲୋକ
ବିଶ୍ୱର ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଏବେ ଚ୍ୟାଲେଂଜ୍ ସୃଷ୍ଟି କରିଛି ଧୂମପାନ ପ୍ରବଣତା ସମଗ୍ର ବିଶ୍ୱରେ ଧୂମପାନ କରୁଥିବା ଲୋକଙ୍କ ସଂଖ୍ୟା ସର୍ବକାଳୀନ ୧.୧ ବିଲିୟନ ବା ୧୧୦ କୋଟିରେ ପହଞ୍ଚିଛି ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡିଛି। ତେବେ ଚିନ୍ତାର ବିଷୟ ହେଲା ଏହି ସଂଖ୍ୟାରେ ସବୁଠୁ ଅଧିକ ଅଛନ୍ତି ଯୁବବର୍ଗ । ତେଣୁ ବିଶେଷଜ୍ଞମାନେ ବିଭିନ୍ନ ଦେଶର ସରକାରଙ୍କୁ ଧୂମପାନ କରୁଥିବା ଯୁବକଙ୍କ ସଂଖ୍ୟାକୁ ରୋକିବା ପାଇଁ ଅନୁରୋଧ କରିଛନ୍ତି । କାରଣ ଯୁବପିଢ଼ି ମଧ୍ୟରେ ଧୂମପାନ ପ୍ରତି ଆସକ୍ତି ବଢ଼ିବା ସହିତ ଏହା ଏକ ନିଶାରେ ପରିଣତ ହେବାରେ ଆଶଙ୍କା ଅଧିକ ରହିଥାଏ । ଏ ବାବଦରେ ଗବେଷଣା କରି ସବିଶେଷ ତଥ୍ୟ ପ୍ରକାଶ କରିଛି ମେଡିକାଲ୍ ଜର୍ଣ୍ଣାଲ ଲାନସେଟ୍ ।
କେତେକ ଦେଶରେ ଲୋକଙ୍କ ମଧ୍ୟରେ ଧୂମପାନ ଅଭ୍ୟାସ ହ୍ରାସ ପାଇଁ ଅନେକ କାର୍ୟ୍ୟ କରାଯାଇଥିବା ବେଳେ ଲାନସେଟରେ ପ୍ରକାଶିତ ନୂଆ ତଥ୍ୟରୁ ଜଣାପଡିଛି ୧୯୯୦ ରୁ ୧୯୯୯ ମଧ୍ୟରେ ୧୫୦ ନିୟୂତ ବା ୧୫ କୋଟି ନୂଆ ଲୋକ ଧୂମପାନ କରିବା ଆରମ୍ଭ କରିଛନ୍ତି। ଧୂମପାନ ୨୦୧୯ରେ ପ୍ରାୟ ୮ ନିୟୁତ ଲୋକଙ୍କୁ ମରଣ ମୁହଁକୁ ଟାଣି ନେଇଛି ା ସେମାନଙ୍କ ମଧ୍ୟରୁ ୮୯ ପ୍ରତିଶତ ଧୂମପାନକାରୀ ମାତ୍ର ୨୫ ବର୍ଷ ବୟସରେ ଏହି ବଦ ଅଭ୍ୟାସ କବଳରେ ପଡ଼ିଥିଲେ । ଅଧ୍ୟୟନର ମୁଖ୍ୟ ମରିସା ରିତ୍ସମା କହିଛନ୍ତି, ଯୁବପିଢ଼ି ଧୂମପାନ ନିଶାରେ ପଡ଼ିବା ଖୁବ୍ ସହଜ। ଦେଶଗୁଡ଼ିକ ଯଦି ଏହା ହ୍ରାସ କରିବା ପାଇଁ ପ୍ରତିବର୍ଷ କାର୍ଯ୍ୟ ନ କରନ୍ତି ତେବେ ଏହି ତମାଖୁ ମହାମାରୀ କେବେ ବି ବନ୍ଦ ହେବ ନାହିଁ ।
ବିଶ୍ୱର ପ୍ରାୟ ସବୁ ଦେଶରେ ଧୂମପାନକାରୀ ଥିବାବେଳେ ସବୁଠୁଁ ଆଗରେ ରହିଛି ଚୀନ୍ । ବିଶ୍ୱର ପ୍ରତି ୩ ଜଣ ଧୂମପାନକାରୀଙ୍କ ମଧ୍ୟରେ ଜଣେ ହେଉଛନ୍ତି ଚୀନର ଏବଂ ଏଠାରେ ୩୪୧ ନିୟୂତ ଧୂମପାନକାରୀ ଅଛନ୍ତି ବୋଲି ଜଣାପଡ଼ିଛି । ବିଶ୍ୱର ଦୁଇ ତୃତୀୟାଂଶ ଧୂମପାନକାରୀ ଚୀନ, ଭାରତ, ଇଣ୍ଡୋନେସିଆ, ଆମେରିକା, ରୁଷିଆ, ବାଂଲାଦେଶ, ଜାପାନ, ତୁର୍କୀ, ଭିଏତନାମ ଏବଂ ଫିଲିପାଇନ୍ସର ଅଧିବାସୀ ବୋଲି ଜଣାପଡ଼ିଛି ।



