ପତ୍ନୀଙ୍କୁ ହସପିଟାଲରେ ଭର୍ତ୍ତି କରି ଫେରିବା ବେଳକୁ ଘରେ ବାପା ମା’ଙ୍କ ମୃତ୍ୟୁ

24

ଝାରସୁଗୁଡା, ୨୯/୦୫/୨୧ (ଜିଲ୍ଲା ଖବର) :  କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ପତ୍ନୀଙ୍କୁ ବୁର୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରିବାକୁ ନେଇଥିଲେ ତ୍ରିନାଥ ବିଶ୍ବାଳ। ଘରେ ଥିଲେ ବାପା ସଦାନନ୍ଦ ଆଉ ମା’ ମାୟା। ସେମାନଙ୍କୁ ଥଣ୍ଡା, କାଶ ହେଉଥିଲା। ସାଧାରଣ ଔଷଧ ଟିକେ ଦେଇ ପତ୍ନୀଙ୍କ କୋଭିଡ ହସ୍ପିଟାଲରେ ଭର୍ତ୍ତି କରିବାକୁ ଯାଇଥିଲେ ତ୍ରୀନାଥ। ହେଲେ ଫେରିଲା ବେଳକୁ ବାପା, ମା’ ଆଉ ନ ଥିଲେ।

ଇଏ କରୋନାର ଆଉ ଗୋଟିଏ କରୁଣ ଚିତ୍ର । ଏହି ହୃଦୟବିଦାରକ ଘଟଣା ଘଟିଛି ବ୍ରଜରାଜନଗର କାଳୀନଗର ଅଞ୍ଚଳରେ ।

ଉଭୟଙ୍କର କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ସୂଚନୋଯୋଗ୍ୟ, ଏମ୍‌କ୍ୟୁ ୮୩ ନମ୍ବର କ୍ବାର୍ଟରରେ ରୁହନ୍ତି ତ୍ରିନାଥ ବିଶ୍ଵାଳ । ଘରେ ପତ୍ନୀ, ବାପା ସଦାନନ୍ଦ ବିଶ୍ବାଳ ଓ ମା’ ମାୟା ବିଶ୍ବାଳ ।  ଗତ କିଛି ଦିନ ହେବ ସଦାନନ୍ଦ ଓ ମାୟାଙ୍କ ଜ୍ବର, କାଶ ହେବାରୁ ତ୍ରିନାଥ ଔଷଧ ଦେଇ ଚିକିତ୍ସା କରୁଥିଲେ। ଏହାମଧ୍ୟରେ ତାଙ୍କ ପତ୍ନୀ ମଧ୍ୟ ଅସୁସ୍ଥ ହେବାରୁ ଗତ ୨୩ ତାରିଖ ଦିନ ତାଙ୍କୁ ବୁର୍ଲା ନେଇଥିଲେ । କରୋନା ସଂକ୍ରମିତ ଜଣାପଡ଼ିବାରୁ ସେଠାରେ ତାଙ୍କର ଚିକିତ୍ସା କରାଯାଉଛି।

 ଅନ୍ୟପଟେ ତ୍ରିନାଥ ବାପା ମା’ଙ୍କ ପାଇଁ ଔଷଧର ବ୍ୟବସ୍ଥା ସହ ପଡ଼ୋଶୀଙ୍କୁ ଖାଇବାକୁ ଦେବାକୁ କହିଥିଲେ। କିନ୍ତୁ ଉଭୟଙ୍କ କରୋନା ଯାଞ୍ଚ କରାଯାଇନଥିଲା । ଶୁକ୍ରବାର ଘର ଭିତରୁ ଦୁର୍ଗନ୍ଧ ହେବାରୁ  ଓରିଏଣ୍ଟ ଥାନାରେ ଖବର ଦିଆଯାଇଥିଲା । କବାଟ ଭାଙ୍ଗିବା ପରେ ସଦାନନ୍ଦ ଓ ମାୟାଙ୍କ ଗଳିତ ଶବ ପଡ଼ିଥିବା ଦେଖାଯାଇଥିଲା । ଖବରପାଇ ଏସ୍‌ପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି  ।