Saturday, November 14, 2026
Home ଆଞ୍ଚଳିକ ୩୦୦ ଛୁଆଙ୍କ ପ୍ରେରଣା ସାଲିଆ ସାହିର ଶକୁନ୍ତଳା ଦିଦି

୩୦୦ ଛୁଆଙ୍କ ପ୍ରେରଣା ସାଲିଆ ସାହିର ଶକୁନ୍ତଳା ଦିଦି

30

୨୯/୦୫/୨୧ (ଜିଲ୍ଲା ଖବର) : ଶକୁନ୍ତଳା । ଏ ନାଁଟା ଏବେ ସାଲିଆ ସାହି ବସ୍ତିର ଭାରି ପ୍ରିୟ। କାହାପାଇଁ ଶକୁନ୍ତଳା ଝିଅ ଭଳିଆ ତ କାହାପାଇଁ ନାତୁଣୀ। କିନ୍ତୁ ବସ୍ତିର ସିଂହଭାଗ ଲୋକଙ୍କ ପାଇଁ ତା ପରିଚୟ `ଶକୁନ୍ତଳା ଦିଦି’ । ଛୁଆ ତ ଏ ନାଁ ଶୁଣିଲେ ଡରନ୍ତି। ଦିଦିଙ୍କ ମାଡ, ଦିଦିଙ୍କ ଆକଟ ଏ କଥା ସେମାନଙ୍କ ମନକୁ ଚାଲିଆସେ।  

ପଙ୍କରୁ ପଦ୍ମ ଫୁଟିଲା ଭଳି ବସ୍ତିର ପଦ୍ମ କଳିକାଟେ ହେଉଛି ଶକୁନ୍ତଳା। ପୂରା ନାଁ ଶକୁନ୍ତଳା ନାୟକ। ଏଇ ସାଲିଆ ସାହି ବସ୍ତିରେ ତାଙ୍କର ଜନ୍ମ। ଏଇଠି ଖେଳିବୁଲି ସିଏ ମଣିଷ ହେଇଛି। ପାଠ ପଢି ବିଏପାସ କଲାପରେ ତାଙ୍କ ମୁଣ୍ଡକୁ ଢୁକିଛି ଅଜବ ଚିନ୍ତା ।

ଆମ ବସ୍ତିର ପିଲା ପାଠ ପଢିବେ। ପାଠ ପଢି ମଣିଷ ହେବେ। ବାସ୍‌ ସେଇ ଦୃଢ ଇଚ୍ଛା ଶକ୍ତି ତାଙ୍କୁ ନିଜ ଛୋଟିଆ ପୃଥିବୀରେ ଦେଇଛି ନିଆରା ପରିଚୟ।    ସଦାବେଳେ ନିଜର ତ୍ୟାଗ, ସମର୍ପଣ ପାଇଁ ସମାଜରେ ନାରୀର ସ୍ଥାନ ଉଚ୍ଚରେ ରୁହେ। ଆଉ ଆଜି ଶକୁନ୍ତଳାଙ୍କ କ୍ଷେତ୍ରରେ ମଧ୍ୟ ସେଇ କଥାଟି ପ୍ରଯୁଜ୍ୟ। ବସ୍ତିର ପ୍ରାୟ  ୩୦୦ରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପଢାଇ ସମସ୍ତଙ୍କ ପ୍ରେରଣା ପାଲଟିଛନ୍ତି ବସ୍ତିର ଝିଅ ଶକୁନ୍ତଳା। ସେ ଛୋଟଛୋଟ ପିଲାମାନଙ୍କୁ ବିଭିନ୍ନ ସୃଜନାତ୍ମକ କାର୍ଯ୍ୟରେ ନିୟୋଜିତ କରି ସେମାନଙ୍କ ମାନସିକ ଚାପ ହ୍ରାସ କରିବାର ପ୍ରଚେଷ୍ଟା ଜାରିରଖିଛନ୍ତି । ସବୁପିଲାମାନଙ୍କ ଘରକୁ ଯାଇ ସେମାନଙ୍କର ପାଠପଢ଼ା କଥା ବୁଝିବା ଏବଂ ଚିତ୍ରାଙ୍କନ ଶିଖାଇବା ତାଙ୍କ ନିତିଦିନିଆ କାମ। ବିଭିନ୍ନ ବର୍ଯ୍ୟବସ୍ତୁକୁ ବ୍ୟବହାର କରି କଳାକୃତୀ ତିଆରି କରିବା, କବିତା ଏବଂ ଗଳ୍ପ ରଚନା କରିବା ଇତ୍ୟାଦି ମଧ୍ୟ ସେ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି ।

ଏଥି ସହିତ ପିଲାମାନଙ୍କୁ ବିଭିନ୍ନ ନୈତିକ ଶିକ୍ଷା ଏବଂ ପରସ୍ପର ମଧ୍ୟରେ ଶାନ୍ତି ଓ ସଦ୍ଭାବନାର ବାର୍ତ୍ତା ବାଣ୍ଟୁଛନ୍ତି । କରୋନା ମହାମାରୀରୁ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ପ୍ରତିଷେଧକମୂଳକ ପଦକ୍ଷେପ ନେବାପାଇଁ ସଚେତନ ମଧ୍ୟ କରୁଛନ୍ତି । ଏହି ମହାମାରୀ ସମୟରେ ଧୈର୍ଯ୍ୟ ନ ହରାଇ ମାନସିକ ସ୍ତରରେ ସୁଦୃଢ଼ ରହିବା ପାଇଁ ଦୈନଦିନ ଜୀବନଶୈଳିରେ ପରିବର୍ତନ ଆଣିବାକୁ ପିଲାମାନଙ୍କୁ ବୁଝାଇ ଆସୁଛନ୍ତି । ଶକୁନ୍ତଳା ଛୋଟବେଳୁ ବସ୍ତିରେ କାମକରୁଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା “ସ୍ନେହ’ର ସାହାଯ୍ୟ ଓ ସହଯୋଗ ଯୋଗୁ ସ୍କୁଲ ଏବଂ କଲେଜରେ ପାଠ ପଢ଼ି ଜଣେ ସ୍ନାତକ ହୋଇପାରିଛନ୍ତି ଏବଂ ଏହି ସଂସ୍ଥାଦ୍ୱାରା ଚାଲିଥିବା ପ୍ରକଳ୍ପରେ ଗୋଷ୍ଠୀ ସଚେତକ ସ୍ୱେଚ୍ଛସେବୀ ଭାବେ କାର୍ଯ୍ୟ କରୁଛନ୍ତି ।