
୨୯/୦୫/୨୧ (ଜିଲ୍ଲା ଖବର) : ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀରୁ ଡକରା । ମେ ୩୧ ସୁଦ୍ଧା ଲୋକ ଅଭିଯୋଗ ଓ ପେନସନ ବିଭାଗ ନୂଆଦିଲ୍ଲୀ ଅଫିସ୍ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ ନୂଆଦିଲ୍ଲୀରେ ତାଙ୍କୁ ନୂଆ ଦାୟିତ୍ବ ଦିଆଯିବ ।
ଶୁକ୍ରବାର ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ମମତାଙ୍କ ସହ 30 ମିନିଟ୍ ବିଳମ୍ବରେ ପହଁଞ୍ଚିଥିଲେ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଞ୍ଚିବା କ୍ଷଣି ବାତ୍ୟା ସମ୍ପର୍କିତ କାଗଜପତ୍ର ହସ୍ତାନ୍ତର କରି ତୁରନ୍ତ ଅନ୍ୟ ମିଟିଂ ଅଛି କହି ବୈଠକ ଅଧାରୁ ମମତା ଚାଲି ଯାଇଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଥିବାବେଳେ ଦିଦିଙ୍କ ଏପରି ବ୍ୟବହାରକୁ ଗଭୀରତାର ସହ ନେଇଛନ୍ତି କେନ୍ଦ୍ର ସରକାର ।
ଏହି ଘଟଣାର କିଛି ସମୟ ପରେ କେନ୍ଦ୍ର ସରକାର ମୁଖ୍ୟଶାସନ ସଚିବଙ୍କୁ ଫେରାଇ ନେଇଛନ୍ତି । ତାଙ୍କୁ ମେ ୩୧ ସୁଦ୍ଧା ଲୋକ ଅଭିଯୋଗ ଓ ପେନସନ ବିଭାଗ ନୂଆଦିଲ୍ଲୀ ଅଫିସ୍ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ୪ ଦିନ ପୂର୍ବରୁ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି କରାଯାଇଥିଲା ।


