
ଟାଙ୍ଗରପାଲି,୨୯/୫(ଜିଲ୍ଲା ଖବର) : ନିଜର କରାଳ ଗ୍ରାସରେ ସଂପୂର୍ଣ୍ଣ ବିଶ୍ଵକୁ ଅକ୍ତିଆର କରିଥିବା କରୋନା ମହାମାରୀର ଦ୍ଵିତୀୟ ଲହରୀର ବିଭୀଷିକାରେ ଆତଙ୍କିତ ସଂପୂର୍ଣ୍ଣ ଜନ ସମାଜ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ଏହି ମହାମାରୀ ଦ୍ଵାରା ପ୍ରଭାବିତ। ବିଭିନ୍ନ ସ୍ତରରେ ଏହି ଭୟଙ୍କର ବିପତ୍ତିରୁ ରକ୍ଷା ପାଇବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି। ଲକଡାଉନ ନିମନ୍ତେ ଗ୍ରାମାଞ୍ଚଳରେ ଚାଲୁଥିବା ସାପ୍ତାହିକ ବଜାର ମାନଙ୍କରେ ସ୍ଥାନୀୟ ଚାଷୀ ମାନେ ନିଜର ଉତ୍ପାଦିତ ସାମଗ୍ରୀ ବିକ୍ରି କରୁଥିବା ବେଳେ ବଢି ଚାଲୁଥିବା ସଂକ୍ରମଣର ଭୟ ତାଙ୍କ ମନ ଭିତରେ ବସା ବାନ୍ଧିଥାଏ। ଏହାକୁ ଦୂର କରିବା ନିମନ୍ତେ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ମାନଙ୍କ ତରଫରୁ ବ୍ୟାପକ ସଚେତନତା କରାଯାଉଛି। ଏହି ପରିପ୍ରେକ୍ଷୀରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସେବକ ଓ ଉତ୍କଳିକା କାତାରର ସହାୟତାରେ ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ମହୁଲପାଲି ସାପ୍ତାହିକ ବଜାରରେ ବ୍ୟବସାୟୀ, ପରିବା ବିକାଳି ଓ ସ୍ଥାନୀୟ ଲୋକଙ୍କୁ ୧୧୪ ଟି ହାଇଜେନିକ କୀଟ ବଣ୍ଟନ କରାଯାଇଛି। ପ୍ରତ୍ଯେକ ହାଇଜେନିକ କୀଟରେ ଗୋଟିଏ ଲେଖାଏଁ ସାନିଟାଇଜର ଓ ସାବୁନ ତଥା ୩ ଟି ଲେଖାଏଁ ମାସ୍କ ଦିଆଯାଇଛି। ବ୍ୟବସାୟୀ, ପରିବା ବିକାଳି ମାନେ ଅନେକ ଲୋକଙ୍କ ସଂସ୍ପର୍ଶ ରେ ଆସୁଥିବାରୁ ତାଙ୍କୁ ସଚେତନ କରାଯାଇଥିଲା। ସ୍ଥାନୀୟ ଲୋକଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ନିମନ୍ତେ ସେବକର କର୍ମକର୍ତ୍ତା ମାନେ ସଚେତନ କରିଥିଲେ। ସେବକର ଅଧ୍ୟକ୍ଷ ଅମୀୟ କାନ୍ତ ନାଏକଙ୍କ ନେତୃତ୍ବରେ ନିଲାମ୍ବର ଉପାଧ୍ୟାୟ, ମନୋରଞ୍ଜନ ମଲ୍ଲିକ, ଠଣ ସୁନ୍ଦର ଗନ୍ଧା, ବର୍ଷା ସାହୁ, ତନ୍ମୟ ମାଝୀ, ଜେକସନ ସରେଙ୍ଗ, ବିମଲ ମୁଣ୍ଡା, ସାଗର ରକ୍ସା ପ୍ରମୁଖ ଏହି ହାଇଜେନିକ କୀଟ ବଣ୍ଟନ କରିଥିଲେ।
ବିଶ୍ବରଂଜନ ହୋତା, ସୁନ୍ଦରଗଡ଼








