
୨୭/୦୫/୨୧ (ଜିଲ୍ଲା ଖବର) : କରାଳ ରୂପ ଧରି ମାଡି ଆସିଥିଲା ଭୟଙ୍କର ସାମୁଦ୍ରିକ ଝଡ ବାତ୍ୟା ୟଶ୍ । ବାତ୍ୟା ଯେତିକି ଘନିଭୂତ ହେଉଥିଲା ଲୋକଙ୍କ ମଧ୍ୟରେ ଭୟ ମଧ୍ୟ ସେତିକି ବଢୁଥିଲା । ଗୋଟେ ପଟେ ୟଶ୍ କୁ ମୁକାବିଲା କରିବାକୁ ସମସ୍ତେ ଲାଗିପଡିଥିବାବେଳେ ଦୁନିଆକୁ କୁଆଁ କୁଆଁ ସ୍ୱରରେ ଆସିଥିଲେ 350 ଶିଶୁ । ଅର୍ଥାତ ଆମେ ଏଠି ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ବାତ୍ୟା ୟଶ୍ ତାଣ୍ଡବ ରଚିବା ସମୟରେ ଗତ 24 ଘଣ୍ଟା ମଧ୍ୟରେ ଓଡିଶାରେ ଜନ୍ମ ହୋଇଛନ୍ତି 350 ଶିଶୁ । ତାହା ବି ସବୁଠୁ ଅଧିକ କ୍ଷୟକ୍ଷତି ହୋଇଥିବା ଅଞ୍ଚଳରେ । ତେବେ ଅନେକ ଲୋକ ପୁଅ ନା ୟଶ୍ ଓ ଝିଏ ନା ୟାସିକା ଦିଆଯାଇଥିବା ଶୁଣିବାକୁ ମିଳୁଛି ।
ଏସଆରସିଙ୍କ ସୂଚନାନୁଯାୟୀ, ବାତ୍ୟାକୁ ଦୃଷ୍ଟିରେ ରଖି ଗତ ଦୁଇ ଦିନ ମଧ୍ୟରେ 6,500 ଗର୍ଭବତୀଙ୍କୁ ସ୍ଥାନ୍ତର କରାଯାଇଥିଲା । ଯେଉଁମାନଙ୍କର ପ୍ରସବ ସମୟ ଜୁନ ପୂର୍ବରୁ ରହିଥିଲା ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବିଶେଷ କରି ରାଜ୍ୟ ସରକାର ବାତ୍ୟାରେ ଅଧିକ ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ଯଥା ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା, କେନ୍ଦୁଝର ଆଦି ଜିଲ୍ଲାକୁ ଫୋକସ କରିଥିଲେ ।
ତେବେ ବାଲେଶ୍ୱରରେ ଗତ 24 ଘଣ୍ଟା ମଧ୍ୟରେ ସବୁଠାରୁ ଅଧିକ ଅର୍ଥାତ 165 ଶିଶୁ ଜନ୍ମ ନେଇଛନ୍ତି । ଏନେଇ ସୂଚାନ ଦେଇଛନ୍ତି ସିଡିଏମଓ ଦୁଲାଲସେନ ଜଗତଦେଓ । ସେ କହିଛନ୍ତି ଯେ, 165 ଶିଶୁ ମଧ୍ୟରୁ 79 ପୁଅ ଓ 86 ଝିଅ ଜନ୍ମ ନେଇଛନ୍ତି ।
ସେହିପରି ଭଦ୍ରକରେ ବାତ୍ୟା ସମୟରେ ପବନର ବେଗ ରହିଥିବା 130 ରୁ 140 କିମି ପ୍ରତି ଘଣ୍ଟା । ସେତିକିବେଳେ ସେଠାରେ 59 ଜଣ ଶିଶୁ ଜନ୍ମ ନେଇଛନ୍ତି । ସେଥିମଧ୍ୟରୁ 37 ପୁଅ ଓ 22 ଝିଅ ଜନ୍ମ ନେଇଥିବା ଜଣାପଡିଛି । ବାତ୍ୟା ବାସୁଦେବପୁର ବାହାନଗା ମଧ୍ୟରେ ଲ୍ୟାଣ୍ଡଫଲ୍ କରିଥିବାବେଳେ 23 ଟି ପ୍ରସବ ବାସୁଦେବପୁର ବ୍ଲକରେ ହୋଇଥିଲା । ସେଠାରେ 209 ଜଣ ଗର୍ଭବତୀଙ୍କୁ ନିକଟ ସିଏଚସି ଓ ଏଚଡବ୍ଲ୍ୟୁସିକୁ ସ୍ଥାନନ୍ତର କରାଯାଇଥିଲା ।
ମୟୂରଭଞ୍ଜରେ ମଧ୍ୟ 66 ଜଣ ଶିଶୁ ଜନ୍ମ ନେଇଛନ୍ତି । ଏଠାରେ ମୋଟ 324 ଜଣ ଗର୍ଭବତୀଙ୍କୁ ସ୍ଥାନନ୍ତର କରାଯାଇଥିଲା । ବାତ୍ୟା ସମୟରେ ବି ଗର୍ଭବତୀ ମହିଳାଙ୍କ ପ୍ରସବରେ କୌଣସି ପ୍ରକାରର ସମସ୍ୟା ଉପୁଜିନାହିଁ ବୋଲି କହିଛନ୍ତି ସିଡିଏମଓ ରୁପାଭାନୁ ମିଶ୍ର । ସେହିପରି କେନ୍ଦ୍ରାପଡାରେ 40 ଓ ଜଗତସିଂହପୁରରେ 13 ଜଣ ଶିଶୁ ଜନ୍ମ ନେଇଛନ୍ତି । ବାତ୍ୟା ୟଶ୍ ପ୍ରଭାବରେ କେନ୍ଦୁଝର ଏବଂ ଡେଙ୍କାନାଳରେ ମଧ୍ୟ ଭାରି ମାତ୍ରାରେ ବର୍ଷା ଲାଗିରହିଥିବାବେଳେ ସେଠାରେ 3 ଟି ଲେଖାଏଁ ଶିଶୁ ଜନ୍ମ ନେଇଛନ୍ତି ।



