
ଜଟଣୀ,୨୬/୫(ଜିଲ୍ଲା ଖବର) : ମହାମାରୀ କରୋନା ଭୟଙ୍କରସ୍ଥିତି ସୃଷ୍ଟି କରିଦେଇଛି । ଜଣେ ମଣିଷ ଅନ୍ୟଜଣେ ମଣିଷକୁ ଦେଖିଲେ ଘୃଣା କରୁଛି । ଏପରିକି କରୋନାରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ପାଖ ମାଡୁନାହାନ୍ତି ପରିଜନ ଓ ଜ୍ଞାନ୍ତି କୁଟୁମ୍ବ । ତେଣୁ ଏହିପରି ଏକ ଅଭାବନୀୟ ଘଟଣା ଜଟଣୀରେ ଚର୍ଚାର ବିଷୟ ପାଲଟିଛି । ଭଡାଘରେ ରହି ରୋଗୀ ଚିକିତ୍ସା କରୁଥିବା ଜଣେ ଡାକ୍ତରଙ୍କୁ ଘରମାଲିକ ମାଡମାରି ଲହୁଲୁହାଣ କରିଥିବା ବେଳେ ଏନେଇ ଘରମାଲିକ ଓ ଡାକ୍ତରଙ୍କ ପକ୍ଷରୁ ଉଭୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ସୁଚନାନୁସାରେ, ଜଟଣୀଥାନା ଅନ୍ତର୍ଗତ ଶ୍ରୀରାମ ନଗର ଲେନ-୭ର ଚତୁର୍ଭୁଜ ରାଉଳଙ୍କ ଘରେ ଡାକ୍ତର କୃଷ୍ଣକାନ୍ତ ମହାନ୍ତି ଦିର୍ଘଦିନଠାରୁ ଭଡାସୁତ୍ରରେ ରହି ଆସୁଥିଲେ । ଡାକ୍ତର କୃଷ୍ଣକାନ୍ତ ରହୁଥିବା ଭଡାଘରେ ମଧ୍ୟ ରୋଗୀ ଚିକିତ୍ସା କରିଥାନ୍ତି । ମାତ୍ର ମଙ୍ଗଳବାର ପୁର୍ବାହ୍ନ ୧୧ ସମୟରେ ଜଣେ ରୋଗୀ ଚିକିତ୍ସାଲାଗି ଡାକ୍ତରଙ୍କ ଭଡାଘରନିକଟକୁ ଆସିଥିଲେ । ମାତ୍ର ମହାମାରୀ କରୋନା ସମୟରେ ରୋଗୀଚିକିତ୍ସା ଏଠାରେ ନକରିବାଲାଗି ଘରମାଲିକ ଚତୁର୍ଭୁଜ ଡାକ୍ତରଙ୍କୁ ବାରଣ କରିଥିଲେ । ତେବେ ଏନେଇ ଡାକ୍ତର ରୋଗୀସେବାରେ ବାଧା ସୃଷ୍ଟି ନକରିବାଲାଗି ଚତୁର୍ଭୁଜଙ୍କୁ କହିଥିଲେ । ଏଥିରେ ଉତ୍ୟକ୍ତ ହୋଇ ଚତୁର୍ଭୁଜ ହାତରେ ଧରିଥିବା ପିତଳ ଢାଳରେ ଡାକ୍ତର କୃଷ୍ଣକାନ୍ତଙ୍କ ମୁଣ୍ଡକୁ ଆକ୍ରମଣ କରିଦେଇଥିଲେ । ଫଳରେ ଡାକ୍ତର ଜଣଙ୍କ ଲହୁଲୁହାଣ ହୋଇ ତଲେ ପଡିଯାଇଥିଲେ ବୋଲି ଜଟଣୀଥାନାରେ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି । ସେହିପରି ଘରମାଲିକ ଚତୁର୍ଭୁଜ ମଧ୍ୟ ଡାକ୍ତରଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି । ସେ ଅଭିଯୋଗରେ ଉଲେଖ କରିଛନ୍ତି ଯେ,ମୋ ଘରେ ୪ମାସ ଭଡାରେ ରହି ଘରଛାଡିଦେବାର ପ୍ରତିଶୃତି ଦେଇ ଘର ଛାଡୁନାହାନ୍ତି । ଫଳରେ ଘର ମରାମତି ହୋଇପାରୁ ନାହିଁ । ଅନ୍ୟପଟେ ମୋ ଘରେ ମୋ ପରିବାର ଲୋକେ ରହୁଥିବା ବେଳେ ଡାକ୍ତର କୃଷ୍ଣକାନ୍ତ କରୋନା ରୋଗୀମାନଙ୍କର ଚିକିତ୍ସା କରାଉଛନ୍ତି । ଫଳରେ ମୋ ପରିବାର ପ୍ରତି ବିପଦ ରହିଛି । ଏହାକୁ ବାରଣ କରିବାପରେ ମୋତେ ଜିବନରୁ ମାରିଦେବାକୁ ଧମକଚମକ ଦେଉଥିବା ଉଲେଖ କରିଛନ୍ତି । ତେବେ ଏନେଇ ଉଭୟ ପକ୍ଷଙ୍କ ଅଭିଯୋଗପରେ ତଦନ୍ତ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
ରିପୋର୍ଟ, ସଞ୍ଜୀବ କୁମାର ।


