
ଭୁବନେଶ୍ୱର,୨୫/୦୫/୨୧ (ଜିଲ୍ଲା ଖବର) : ବିଶିଷ୍ଟ ପ୍ରବଚକ ଚାରଣ ରାମ ଦାସଙ୍କ ପରଲୋକ । ସୋମବାର ରାତିରେ ଚାରଣ ରାମଦାସଙ୍କ ପରଲୋକ ହୋଇଛି। କିଛି ଦିନ ତଳେ କରୋନା ସଂକ୍ରମିତ ହୋଇ ଚାରଣ ରାମଦାସ ପୁରୀ ଆଇ.ଡି.ଏଚ୍. କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ଫୁସଫୁସ୍ ପ୍ରଭାବିତ ହୋଇଥିଲା ଓ ସେ ଶ୍ୱାସକ୍ରିୟା ଜନିତ ଅସୁବିଧା ଅନୁଭବ କରୁଥିଲେ ।
ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ପ୍ରବଚକ ହିସାବରେ ସେ ସାରା ରାଜ୍ୟରେ ଥିଲେ ବେଶ ପରିଚିତ । ଚାରଣ ରାମଦାସଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଟୁଇଟି କରି କହିଛନ୍ତି, ଲୋକପ୍ରିୟ ଆଧ୍ୟାତ୍ମିକ ପ୍ରବକ୍ତା ଚାରଣ ରାମଦାସଙ୍କ ବିୟୋଗ ଖବର ଶୁଣି ଦୁଃଖିତ ଓ ମର୍ମାହତ।
ସ୍ୱର୍ଗତ ଦାସ ଲମ୍ବା ସମୟ ଧରି ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ତଥା ଆଧ୍ୟାତ୍ମିକ ପ୍ରବଚନ ମାଧ୍ୟମରେ ନିଜର ଅନନ୍ୟ ପରିଚୟ ତିଆରି କରିପାରିଥିଲେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଏହାସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି।





