
ନୂଆଦିଲ୍ଲୀ,୨୪/୦୫/୨୧ (ଜିଲ୍ଲା ଖବର) : ଦେଶରେ କରୋନା ମହାମାରୀର ଦ୍ବିତୀୟ ଲହରୀ ଥମିବାର ନାଁ ଧରୁନି । ଯାହାକୁ ନେଇ ପୁରା ଦେଶବାସୀ ଚିନ୍ତିତ । ପ୍ରତିଦିନ ଅନେକ ଲୋକ କରୋନା ସଂକ୍ରମିତ ହେଉଥିବା ବେଳେ, ଅନେକ କରୋନାରେ ଆଖି ବୁଜୁଛନ୍ତି । ତେବେ ଦିନକୁ ଦିନ ସ୍ଥିତି ଭୟଙ୍କର ରୂପ ଧାରଣ କରୁଥିବେ ବେଳେ, ବିଭିନ୍ନ ହସ୍ପିଟାଲରେ ବେଡ ଏବଂ ଅକ୍ସିଜେନ ସିଲିଣ୍ଡରର ଘୋର ଅଭାବ ଦେଖିବାକୁ ମିଳୁଛି । ତେବେ ଏଭଳି ପରିସ୍ଥିତିରେ ସରକାରଙ୍କ ସମେତ, ଅନେକ ସେଲିବ୍ରେଟି ଲୋକଙ୍କ ସାହାଯ୍ୟ କରିବା ପାଇଁ ଆଗକୁ ଆସୁଛନ୍ତି । ଏଥିରୁ ବାଦ୍ ପଡି ନାହାଁନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ବାମୀ ନିକ୍ ଜୋନାସ୍ ।
ଉଭୟ ପତି-ପତ୍ନୀ ସାଥିହୋଇ ୨୨ କୋଟି ଟଙ୍କା ଯୋଗାଡ କରିଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ପ୍ରିୟଙ୍କା ଏହାର ସୂଚନା ଦେଇଛନ୍ତି । ପ୍ରିୟଙ୍କା ଏବଂ ନିକ୍ ‘ଗିଭ୍ ଇଣ୍ଡିଆ’ନାଁରେ ଏହି ପାଣ୍ଠି ଯୋଗାଡ କରିଛନ୍ତି । ଯାହା ଦ୍ବାରା ଦେଶକୁ କରୋନା ମହାମାରୀ ସହ ଲଢିବାରେ ସାହାଯ୍ୟ ମିଳିପାରିବ ।



