
ପୁରୀ, ୨୪/୦୫/୨୧ (ଜିଲ୍ଲା ଖବର) : ଫାଇଲିନ ଗଲା, ଫନି ଗଲା ହେଲେ ପକ୍କା ଘର ଖଣ୍ଡେ ମିଳିପାରିଲା ନାହିଁ । ଏମିତି ଦୁର୍ଦ୍ଦିନରେ ଅଛନ୍ତି ଫନି ପିଡୀତା । ପୁରୀ ଜିଲ୍ଲା ଗୋପ, ଅସ୍ତରଙ୍ଗ, କାକଟପୁର, ସତ୍ୟବାଦୀରୁ ଆସିଛି ଏପରି ଅଭାବନୀୟ ଚିତ୍ର । ପୁରୀ ଜିଲ୍ଲାରେ ଫନି ଓ ଫାଇଲିନରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ୧ ଲକ୍ଷ ୮୦ ହଜାରରୁ ଅଧିକ ଘର ଭାଙ୍ଗି ଯାଇଥିଲା । ଫନିକୁ ୨ ବର୍ଷ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଘର ପାଇଲେନି ଯୋଗ୍ୟ ହିତାଧିକାରୀ । ପିପିଲି ନାଲିଅଣାବାସୀ ହୋଇଛନ୍ତି ପ୍ରତାରିତ । ୨ବର୍ଷ ତଳେ ଏଇ ମେ ମାସରେ ଫନି ସବୁ ଛାରଖାର କରିଦେଲା । ମାଟିରେ ମିଶିଗଲା ଚାଳଛପର ଘର। ୨୪ ମାସ ପରେ ବି ସମାନ ଚିତ୍ର । ମୁଣ୍ଡ ଉପରେ ନାହିଁ ପକ୍କାଘର। ଏମିତି ଚାଲିଛି ତେଲ ଲୁଣର ସଂସାର। ୟଶ୍ ଏବେ ପୁଣି ନିଦ ହଜାଇ ଦେଇଛି।
ଖାଲି ପିପିଲି ନୁହେଁ, ପୁରୀ ଜିଲ୍ଲାର ସମୁଦ୍ରକୂଳିଆ ଅଞ୍ଚଳରେ ସମାନ ଦୃଶ୍ୟ। ଗୋପ, ଅସ୍ତରଙ୍ଗ, କାକଟପୁର, ସତ୍ୟବାଦୀ। ଫନିରେ ଭାଙ୍ଗିଯାଇଥିବା କଚ୍ଚା ଘର ପକ୍କା ହୋଇପାରିନି। ମିଳିଛି କେବଳ ପ୍ରତିଶ୍ରୁତି । ଆଶଙ୍କାରେ ବିତୁଛି ଜୀବନ। ଏମାନେ କଣ ଯୋଗ୍ୟ ହିତାଧିକାରୀ ନୁହନ୍ତି ନା ଦଳୀୟ ଆଧାରରେ ଦିଆଯାଉଛି ଘର । ଫନି ଓ ଫାଇଲିନରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ପୁରୀ ଜିଲ୍ଲାରେ । ୧ ଲକ୍ଷ ୮୦ ହଜାରରୁ ଅଧିକ ଘର ଭାଙ୍ଗି ଯାଇଥିଲା । ଫନିକୁ ୨ ବର୍ଷ ବିତିଲାଣି ହେଲେ ବର୍ତ୍ତମାନ ସୁଦ୍ଧା ବି ଘର ପାଇଲେନି ଯୋଗ୍ୟ ହିତାଧିକାରୀ ।



