
ଭୁବନେଶ୍ୱର, ୨୪/୦୫/୨୧ (ଜିଲ୍ଲା ଖବର) : ବାତ୍ୟାର ରୂପ ନେଲା ୟଶ୍ । ଆଜି ସକାଳ ୫ଟା ୩୦ରେ ବାତ୍ୟାର ରୂପ ନେଇଛି ୟଶ୍ । ଆସନ୍ତା ୨୪ ଘଣ୍ଟାରେ ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଭେରି ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ବର୍ତ୍ତମାନ ବାତ୍ୟା ଦକ୍ଷିଣ ଦକ୍ଷିଣ ପୂର୍ବ ପାରାଦୀପଠାରୁ ୫୪୦ କିଲୋମିଟର ଦୂରରେ ରହିଛି । ଦକ୍ଷିଣ ଦକ୍ଷିଣ ପୂର୍ବ ବାଲେଶ୍ବରଠାରୁ ୬୫୦ ଓ ଦକ୍ଷିଣ ଦକ୍ଷିଣ ପୂର୍ବ ଦୀଘାଠାରୁ ୬୩୦ କିଲୋମିଟର ଦୂରରେ ରହିଛି ।
୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ପାରାଦୀପ ଓ ସାଗର ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ । ଲ୍ୟାଣ୍ଡଫଲ ବେଳକୁ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ରହିବ । ଏହା ବୃଦ୍ଧି ପାଇ ୧୮୫ କିଲୋମିଟର ହୋଇପାରେ । ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।
ସେହିପରି ୨୬ ତାରିଖରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଜଗତସିଂହପୁର, କଟକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ସେପଟେ ବାତ୍ୟାର ମୁକାବିଲା ପାଇଁ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପ୍ରସ୍ତୁତ ହୋଇ ରହିଛି । ଆଧୁନିକ ଯନ୍ତ୍ରପାତି ସହ ପ୍ରଭାବିତ ଜିଲ୍ଲାକୁ ଅଦ୍ୟାବଧି ୨୨ଟି ଏନଡିଆରଏଫ ଟିମ୍ ପଠାଯାଇଥିବା ଜଣାପଡ଼ିଛି ।


