
ଗଜପତି,୨୩/୦୫/୨୧ (ଜିଲ୍ଲା ଖବର) : ୟୁନିଭରସଲ ପାଇପ କନେକ୍ସନ ନାଁରେ ଟଙ୍କା ଚଳୁ । ବିଶୁଦ୍ଧ ପାଣି ଯୋଗାଇବା ନାଁରେ ଲୋକଙ୍କୁ ଧୋକ୍କା। ଜନସ୍ୱାସ୍ଥ୍ୟ ବିଭାଗ ନାଁରେ ଆସିଛି ଏପରି ସଙ୍ଗୀନ ଅଭିଯୋଗ । କେବଳ ଅଭିଯୋଗ ଆସିନାହିଁ ବରଂ ଏହି କେଳାଙ୍କାରୀର ଖୁଲାସା କରିଛି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ।
ଆଉ ଆରଟିଆଇର ଏହି ତଥ୍ୟ ଖୋଲିଦେଇଛି ପ୍ରଶାସନ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା। ଆଉ ଖୋଲିଯାଇଛି ସରକାରଙ୍କ ଅର୍ଥ ଚଳୁର ଗୁମର। ଅନୁନ୍ନତ ଗଜପତି ଜିଲ୍ଲା ସଦର ମହକୁମାର ପାରଳାଖେମୁଣ୍ଡିର ଏକ ମାତ୍ର ପୌରାଞ୍ଚଳ ଜନ ସଂଖ୍ୟା ୬୦ ହଜାରରୁ ଉର୍ଦ୍ଧ୍ଵ ରହିଥିବା ବେଳେ ଘର ସଂଖ୍ୟା ରହିଛି ୨୦ ହଜାରରୁ ଅଧିକ, ହେଲେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନାଁରେ ଚୂନ ଲଗାଯାଇଥିବାର ହୋଇଛି ଅଭିଯୋଗ ।
ପାନୀୟ ଜଳ ପାଇଁ ପାଇପ ସଂଯୋଗିକରଣ ନାଁ ରେ କେବଳ ରାସ୍ତା ଘାଟ ଖୋଳି କାମ ସାରିଦେଇଛି ଜନସ୍ୱାସ୍ଥ୍ୟ ବିଭାଗ । ଲୋକଙ୍କୁ ତ ବିଶୁଦ୍ଧ ପାନୀୟ ଜଳ ମିଳିଲା ନାହିଁ ବରଂ କନେକସନ ଦେବା ନାଁରେ ଲୋକଙ୍କ ଠାରୁ ଟଙ୍କା ନିଆଯାଇଥିବାର ଅଭିଯୋଗ । ଆଉ ପାଇପ ବିଛାଇବା ନାଁରେ ରାସ୍ତଘାଟ ଖୋଳିଦେବାରୁ ରାସ୍ତାରେ ଖେଳୁଛି ପାଣି ।
ଆଉ କରୋନା ମହାମାରୀ ସମୟରେ ଏହା ଲୋକଙ୍କ ଚିନ୍ତାକୁ ବଢାଇ ଦେଇଛି ।2019 ମସିହାରୁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଅଞ୍ଚଳରେ ଠିକାଦାର ଓ ପ୍ରଶାସନଙ୍କର ମଧୁଚନ୍ଦ୍ରିକା ଚାଲିଥିବା ବେଳେ ଏହା କିପରି ଭାବେ ପ୍ରଶାସନକୁ ଅଜଣା ରହିଛି ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି ।



