
ମାଲକାନଗିରି,୨୩/୦୫/୨୧ (ଜିଲ୍ଲା ଖବର) : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ ଅର୍ନ୍ତଗତ ଦୁଇଟି ପଞ୍ଚାୟତ ଅଣ୍ଡ୍ରାହଲ ଏବଂ ମୁଦୁଲିପଡ଼ା । ଏହି ଦୁଇଟି ପଞ୍ଚାୟତରେ କେହି କରୋନା ସଂକ୍ରମିତ ହୋଇନାହାନ୍ତି । ଗତବର୍ଷ ଭଳି ଚଳିତ ବର୍ଷ ଦ୍ବିତୀୟ ଲହର କରୋନା ଠାରୁ ସମସ୍ତ ବଣ୍ଡା ଜନଜାତିଙ୍କୁ ଦୁରେଇ ରଖିବା ପାଇଁ ଅଙ୍ଗନୱାଡି ଦିଦି ଅଂଟା ଭିଡିଛନ୍ତି ।
ଗାଁ ଗାଁ ବୁଲି ଘରେ ପହଞ୍ଚି ବଣ୍ଡା ଲୋକଙ୍କୁ ତାଙ୍କରି ଭାଷାରେ ବୁଝାଉଛନ୍ତି ଦିଦି ଜ୍ୟୋତି ବଡ଼ନାୟକ । ପାହାଡ଼ିଆ ଘାଟି ଉପରେ ରହୁଥିବାରୁ ଏମାନଙ୍କ ମଧ୍ୟରେ ୯୯ପ୍ରତିଶତ ଲୋକଙ୍କୁ ଓଡ଼ିଆ ଭାଷା ଜଣା ନାହିଁ । ତେଣୁ କରୋନା ସଚେତନତା ପାଇଁ ତାଙ୍କରି ଭାଷାରେ ବୁଝାଉଛନ୍ତି ଅଙ୍ଗନୱାଡି ଦିଦି ।
ଲୋକଙ୍କୁ କରୋନା ସଚେତନତା କରିବାର ଭିନ୍ନ ଏକ ପ୍ରୟାସ । ଥାଳି ପିଟି ପିଟି ଗହଳି କରୁଥିବା ଲୋକଙ୍କୁ ବୁଝାଉଛନ୍ତି ଦିଦି। ଅନ୍ୟ ସ୍ଥାନକୁ ଗଲେ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦେଉଛନ୍ତି । କରୋନାର ଦ୍ବିତୀୟ ଲହର ନେଇ ରାଜ୍ୟ ତଥା ଦେଶର ପରିସ୍ଥିତି ସମ୍ବନ୍ଧରେ ଅବଗତ କରାଉଛନ୍ତି ।
ନିଜେ ୬ ମାସର ଗର୍ଭବତୀ ଥିବା ସତ୍ତ୍ବେ ପାହାଡ଼ିଆ ଘାଟି ଚଢି ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି । ବଣ୍ଡା ଅଞ୍ଚଳରେ କାହା ଘରେ ଟିଭି କିମ୍ବା ମୋବାଇଲ୍ ନଥିବାରୁ ଏମାନେ ଜରୁରୀ ସୂଚନା ପାଇବାରୁ ବଞ୍ଚିତ । ତେଣୁ ଏହି ପ୍ରୟାସ କରୁଛନ୍ତି ଦିଦି ।



