Saturday, November 14, 2026
Home ଆଞ୍ଚଳିକ ଅଜଗର ଅଣ୍ଡା ସ୍କୁଲ ଘରେ…

ଅଜଗର ଅଣ୍ଡା ସ୍କୁଲ ଘରେ…

12

ଖୋର୍ଦ୍ଧା, ୨୨/୦୫/୨୧ (ଜିଲ୍ଲା ଖବର) :  ଖୋର୍ଦ୍ଧା ନିଆଳ ଗ୍ରାମ୍ୟ ଜଙ୍ଗଲରୁ ୩୦ଟି ଅଜଗର ଅଣ୍ଡା ଉଦ୍ଧାର ହୋଇଛି। ଏଗୁଡିକ ସ୍ଥାନୀୟ ସ୍କୁଲ ଘରେ ରଖାଯାଇ କୃତ୍ତିମ ଉପାୟରେ ଫୁଟିବାକୁ ଛାଡି ଦିଆଯାଇଛି। ଆଜି ଭୋର ପ୍ରାୟ ୫ ଟା ସମୟରେ ମା’ ଅଜଗର ତାର ବସାକୁ ଛାଡି ୬ ଫୁଟ ଦୂରରେ ଥିବା ଏକ ପତ୍ର ବୁଦା ମୂଳେ ଲୁଚି ରହିଥିଲା। ପରେ ବର୍ଷା ହେବାରୁ ସ୍ନେକ ହେଲ୍ପ ଲାଇନ ଟିମ ପ୍ରାୟ ୩୦ଟି ଅଣ୍ଡା ଓ ୧୨ ଫୁଟର ଲମ୍ବ ଅଜଗର ସାପକୁ ଉଦ୍ଧାର କରିଥିଲେ। ସାପଟିକୁ ଚନ୍ଦକା ଜଙ୍ଗଲରେ ଛାଡି ଦିଆ ଯାଇଥିବା ବେଳେ, ଅଣ୍ଡା ଗୁଡିକୁ ନିଆଳ ଗ୍ରାମ ସ୍କୁଲ ଘରେ ରଖାଯାଇ କୁତ୍ରିମ ଉପାୟରେ  ଛୁଆ ବାହାର କରାଯିବା ପାଇଁ ବ୍ୟବସ୍ଥା ହୋଇଛି।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ମଲ୍ଲିପୁର ପଞ୍ଚାୟତର ମଲ୍ଲିପୁର ଗ୍ରାମ୍ୟ ଜଙ୍ଗଲରେ ଗୁରୁବାର ସକାଳୁ କିଛି ଲୋକ ଏକ ଖୋଲ ଭିତରେ ଅଜଗର ସାପକୁ ଦେଖିଥିଲେ । ସ୍ଥାନୀୟ ଯୁବକମାନେ ହଳଦିଆ ରେଞ୍ଜ ଅଫିସରଙ୍କୁ ଏ ନେଇ ଖବର ଦେଲା ପରେ ରେଞ୍ଜ ଅଫିସର ଜୟକୃଷ୍ଣ ପଣ୍ଡା ନିଜର ଟିମ ଧରି ପହଞ୍ଚିଲେ । ସ୍ନେକ ହେଲ୍ପ ଲାଇନର ଏକ ଦୁଇ ଜଣିଆ ଟିମ ଶୁଭେନ୍ଦୁ ମଲ୍ଲିକଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ବହୁ ଜନ ସମାଗମ ହୋଇସାରିଥିଲା। କରୋନା କଟକଣା  ପାଇଁ ପୁଲିସ ଲୋକଙ୍କୁ ଦୂରକୁ ହଟେଇବା ପରେ ଶୁଭେନ୍ଦୁ ଧୀରେ ଧୀରେ ସାପକୁ ନିଜର ହୁକ ସାହାଯ୍ୟରେ ଅଳ୍ପ ଟେକିବା ପରେ ସାପ ପେଟ ତଳେ କିଛି ଅଣ୍ଡା ଦେଖିବାକୁ ପାଇଥିଲେ । ଆଉ ସାପକୁ ବିରକ୍ତ ନ କରି ତୁରନ୍ତ ଚନ୍ଦକା ଡିଏଫଓଙ୍କୁ ଜଣେଇଥିଲେ ।

ସାପକୁ ତା ବସାରୁ ବାହାର ନ କରି ସେହି ଜାଗାରେ ଅଣ୍ଡା ଫୁଟେଇବାକୁ ସୁଯୋଗ ଦେବା ପାଇଁ ଶୁଭେନ୍ଦୁ ପରାମର୍ଶ ଦେଇଥିଲେ । ଚନ୍ଦକା ଡିଏଫଓଙ୍କ ନିର୍ଦ୍ଦେଶରେ ସେହି ଜାଗାରେ ବାରିକେଡ ତିଆରି ହୋଇ ଏଜ ଅସ୍ଥାୟୀ କ୍ୟାମ୍ପ ବ୍ୟବସ୍ଥା ହୋଇଛି।  ସ୍ଥାନୀୟ ଗ୍ରାମ କମିଟି ତରଫରୁ ଗ୍ରାମର ଯୁବକ ସଙ୍ଘ ମଧ୍ୟ ସାପର ସୁରକ୍ଷା କରୁଛନ୍ତି। ମଲ୍ଲୀପୁର ସରପଞ୍ଚ ବିଜୟ କୁମାର ଦାସ ଓ ଗଡ଼ ନିଆଳ ଗ୍ରାମ୍ୟ କମିଟି ସଭାପତି ମନୋଜ କୁମାର ପ୍ରତିହାରୀ ଗ୍ରାମବାସୀଙ୍କ ତରଫରୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଛନ୍ତି । ହଳଦିଆ ରେଞ୍ଜ ଅଧିକାରୀ ଜୟକୃଷ୍ଣ ପଣ୍ଡା ଏନେଇ କହିଛନ୍ତି “ଭାରତୀୟ ଅଜଗର ସାପ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, 1972 ଅନୁଯାୟୀ ତଫସିଲ 1 ଅନ୍ତର୍ଭୂକ୍ତ । ଏଣୁ ସାପ ଅଣ୍ଡା ଫୁଟିବା ପର୍ଯ୍ୟନ୍ତ ଆମର ଏହି ସ୍ଥାନରେ 24 ଘଣ୍ଟିଆ ପହରା ଦିଆଯିବ” ।

ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ସାପ ଅଣ୍ଡାକୁ ବନ କର୍ମଚାରୀ ଓ ଗ୍ରାମବାସୀ ସୁରକ୍ଷା ଦେବା ଓଡ଼ିଶାରେ ପ୍ରଥମ ଘଟଣା । ଅଜଗର ସାପ ମାର୍ଚ୍ଚରୁ ଜୁନ ମାସ ମଧ୍ୟରେ ପ୍ରାୟ 100 ପର୍ଯ୍ୟନ୍ତ ଅଣ୍ଡା ଦେଇ ଅଣ୍ଡାକୁ ଫୁଟିବା ପର୍ଯ୍ୟନ୍ତ ଜଗି ରହିଥାଏ । କାଲି ମା’ ଅଜଗର ଅଣ୍ଡା ପାଖରେ ଥିବାରୁ ସ୍ନେକ ହେଲ୍ପ ଲାଇନର ଅଧୀକୃତ ସଦସ୍ୟମାନେ ତଦାରଖ କରୁଥିଲେ । ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା  ଡ୍ରୋନ କ୍ୟାମେରା ସାହାଯ୍ୟରେ ଅଜଗରର ଗତି ବିଧି ପର୍ଯ୍ୟବେକ୍ଷଣ କରୁଥିଲେ ।

ଆଜି ଭୋର ପ୍ରାୟ ୫ ଟା ସମୟରେ ମା ଅଜଗର ତାର ବସାକୁ ଛାଡି ୬ ଫୁଟ ଦୂର ରେ ଥିବା ଏକ ପତ୍ର ବୁଦା ମୂଳେ ଲୁଚି ରହିବା ଜାଣିବା ପରେ ଅଣ୍ଡାଗୁଡିକୁ ଉଦ୍ଧାର କରାଯାଇଛି । ଚନ୍ଦକା ଡିଏଫଓ କେଦାର ସ୍ୱାଇଁ କହିଛନ୍ତି “ସାପ ଅଣ୍ଡା ଫୁଟିବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିଲା । କୌଣସି ଲୋକଙ୍କୁ ସାପ ଅଣ୍ଡା ପାଖକୁ ଛଡା ଯିବ ନାହିଁ । ଆମ କର୍ମଚାରୀ 24 ଘଣ୍ଟା ସେହି ସ୍ଥାନରେ ରହିବେ । ଗ୍ରାମବାସୀ କରୋନା କାଳ ରେ ନିଜ ଘରେ ରୁହନ୍ତୁ, ଏବଂ ସାପ ଅଣ୍ଡା ପାଖକୁ ଆଦୌ ଆସନ୍ତୁ ନାହିଁ”।