
ନୟାଗଡ,୨୨/୦୫/୨୧ (ଜିଲ୍ଲା ଖବର) : ତାତି ଯେତିକି ବଢ଼ୁଛି ତାଠୁ ଜଳ କଷ୍ଟ ଅଧିକ ହେଉଛି l ପିଇବା ପାଣି ଯୋଗାଇ ଦେବା ଦାବି କରି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ବେଲପଡା ପଞ୍ଚାୟତର ରାଉତପଡା ଗ୍ରାମବାସୀ ପାଣି ପମ୍ପ ଘେରାଉ କରିଛନ୍ତି l ଗତକାଲି ରାତିରେ ଗ୍ରାମର ମାଳିସାହି ଓ କୈବର୍ତ୍ତ ସାହିର ଶତାଧିକ ପୁରୁଷ ଓ ମହିଳା ପାଣି ପମ୍ପ ନିକଟରେ ପ୍ରତିବାଦ କରିଥିଲେ l ତିନି ବର୍ଷ ଧରି ପାଣି ଟାଙ୍କି ନିର୍ମାଣ କରି ପାଣି ଯୋଗାଇ ଦେବାକୁ ଦାବି ହୋଇ ଆସୁଥିଲେ ବି ପାଣିଟାଙ୍କି ଅର୍ଦ୍ଧନିର୍ମିତ ଭାବରେ ପଡ଼ିରହିଛି l ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅର୍ଦ୍ଧନିର୍ମିତ ପାଣି ଟାଙ୍କିର ନିର୍ମାଣ ଶେଷ ହେଉନାହିଁ l ସେଥିପାଇଁ ଗାଁରେ ପାନୀୟଜଳ ସଙ୍କଟ ଦେଖାଦେଇଛି l ପାଣି ପାଇଁ ହଇରାଣ ହେଉଛନ୍ତି ଲୋକେ l ଏହାର ପ୍ରତିବାଦ କରିଛନ୍ତି ଗ୍ରାମବାସୀ l ଘଟଣା ସ୍ଥଳରେ ସମ୍ପୃକ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଲିପ୍ସା ମହାନ୍ତି ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ l ଦୁଇରୁ ତିନି ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଲା ପରେ ଲୋକମାନେ ଆନ୍ଦୋଳନରୁ ଓହରିଥିଲେ l


