
୨୨/୦୫/୨୧ (ଜିଲ୍ଲା ଖବର) : ସାରା ବିଶ୍ବ ପାଇଁ ଭଲ ଖବର। ଦୀର୍ଘ ୧୧ ଦିନର ଭୟଙ୍କର ଆଉ ବିଧ୍ବଂସକାରୀ ଲଢ଼େଇରେ ମାତିବା ପରେ ଏବେ ଶାନ୍ତି ବା ଯୁଦ୍ଧବିରାମ ପାଇଁ ରାଜି ହୋଇଛନ୍ତି ଇସ୍ରାଏଲ ଏବଂ ପାଲେଷ୍ଟାଇନ୍ ପକ୍ଷରୁ ଲଢ଼ୁଥିବା ଉଗ୍ରବାଦୀ ଗୋଷ୍ଠୀ ହମାସ୍। ଗୁରୁବାର-ଶୁକ୍ରବାର ଭାରତୀୟ ସମୟ ରାତି ୨ଟାରେ ଉଭୟ ପକ୍ଷ କ୍ଷେପଣାସ୍ତ୍ର ମାଡ଼ କରିବା ବନ୍ଦ କରିଛନ୍ତି । ଗତ ୧୧ ଦିନ ଧରି ଦୁଇ ପକ୍ଷର ଲଢ଼େଇ ଯୋଗୁଁ ଗାଜା ଷ୍ଟ୍ରିପ୍ ଅଞ୍ଚଳରେ ବ୍ୟାପକ ଧ୍ୱଂସଲୀଳା ହୋଇଥିଲା। ଅନେକ ବଡ଼ ବଡ଼ ଅଟ୍ଟାଳିକା ମାଟିରେ ମିଶି ଯାଇଥିଲା। ଇସ୍ରାଏଲର ମଧ୍ୟ ଅନେକ କ୍ଷୟକ୍ଷତି ଘଟିଥିଲା। ଉଭୟ ପକ୍ଷରୁ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବା ସହିତ ଅନେକ ସୈନ୍ୟ ଏବଂ ସାଧାରଣ ନାଗରିକ ଏହି ଲଢ଼େଇରେ ଗୁରୁତର ଆହତ ହୋଇଥିଲେ। ଗାଜାରେ ଅନେକ ବାସହରା ମଧ୍ୟ ହୋଇ ପଡ଼ିଥିଲେ। ରାତିରେ ଯୁଦ୍ଧ ବନ୍ଦ ହେବାପରେ ଗାଜା ଷ୍ଟ୍ରିପରେ ପୁଣି ଏକ ପ୍ରକାର ସାଧାରଣ ଅବସ୍ଥାକୁ ଜୀବନ ଫେରିଛି। ଗାଜାରେ ଅନେକ ଲୋକ ନିଜ ଘରୁ ବାହାରି ଖୁସିରେ ଚିତ୍କାର କରିବା ସହିତ ଫାଙ୍କା ଗୁଳିଚାଳନା କରି ଯୁଦ୍ଧ ବନ୍ଦର ଉତ୍ସବକୁ ପାଳନ କରିବା ଦେଖାଯାଇଛି ।
ପାଲେଷ୍ଟାଇନ୍ ପକ୍ଷରୁ ହମାସ, ଇସ୍ତ୍ରାଏଲ ଉପରେ ଅନେକ ରକେଟ୍ ଆଉ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଇସ୍ରାଏଲ ମଧ୍ୟ ନିଜ ପାଖରେ ଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ସାହାଯ୍ୟରେ ଗାଜାର ଅନେକ ବଡ଼ ବଡ଼ କେଠାବାଡ଼ି ଧ୍ବଂସ କରିବାକୁ ସକ୍ଷମ ହୋଇଥିଲା। ଏହାକୁ ନେଇ ସାରା ବିଶ୍ବରେ ଚିନ୍ତା ଖେଳି ଯାଇଥିଲା। ଜାତିସଂଘ ସମେତ ଅନେକ ଆନ୍ତର୍ଜାତିକ ସଂଗଠନ ଉଭୟ ପକ୍ଷ ଉପରେ ଯୁଦ୍ଧ ବନ୍ଦ ପାଇଁ ଚାପ ସୃଷ୍ଟି କରିଥିଲେ। ତେବେ ଦୁଇ ପକ୍ଷ ମଧ୍ୟରେ ଯୁଦ୍ଧ ବିରାମ ପାଇଁ ସବୁଠୁଁ ଅଧିକ ଚେଷ୍ଟା କରିଥିଲା ଇସ୍ରାଏଲର ପଡ଼ୋଶୀ ଇଜିପଟ, ଯାହାକୁ ଇସ୍ରାଏଲ୍ ଗ୍ରହଣ କରିଥିଲା। ଯୁଦ୍ଧ ବିରାମ ଘଟିବା ପରେ ଆମେରିକା ସମେତ ବିଶ୍ବର ଅନେକ ଦେଶ ଖୁସି ପ୍ରକଟ କରିଛନ୍ତି। ଆଗକୁ ଜାତିସଂଘ ମାଧ୍ୟମରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ବୋଲି ଆଶାପ୍ରକାଶ ପାଇଛି।


