
୨୧/୦୫/୨୧ (ଜିଲ୍ଲା ଖବର) : କରୋନା ସଂକ୍ରମଣ ସହିତ ବର୍ତ୍ତମାନ ବ୍ଲାକ ଫଙ୍ଗସ୍ ଦ୍ରୁତ ଗତିରେ ବ୍ୟାପିଛି | କରୋନାରୁ ସୁସ୍ଥ ହୋଇଥିବା ଓ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଏହି ସଂକ୍ରମଣ ବେଶୀ ରହିଛି । ଦିନକୁ ଦିନ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । କରୋନାଠାରୁ ଆହୁରି ଭୟଙ୍କର ହେଉଛି ବ୍ଲାକ ଫଙ୍ଗସ୍ । କେବଳ ବ୍ଲାକ ଫଙ୍ଗସ୍ ୯୦ ଜଣଙ୍କ ଜୀବନ ନେଇଛି । କରୋନା ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର । ଆଉ ଏବେ ପୁଣି ବ୍ଲାକ ଫଙ୍ଗସ୍ ଅଧିକରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବା ସହ ସମସ୍ତଙ୍କ ପାଇଁ ନୂଆ ବିପଦ ସୃଷ୍ଟି କରିଛି । ମହାରାଷ୍ଟ ପରେ ପରେ ବ୍ଲାକଫଙ୍ଗସ୍ ଦ୍ୱାରା ୧୪ଜଣ ଲୋକ ହରିଆଣାରେ ପ୍ରାଣ ହରାଇଛନ୍ତି । ସେହିଭଳି ଉତ୍ତରପ୍ରଦେଶରେ ଏଥିରେ ଆକ୍ରାନ୍ତ ହୋଇ ୮ଜଣଙ୍କର ମୃତ୍ୟୁ ହୋଇ ସାରିଛି । ଝାଡ଼ଖଣ୍ଡରେ ୮ଜଣ, ମଧ୍ୟପ୍ରଦେଶରେ ୨ଜଣ, ଛତିଶଗଡ଼ରେ ୨ଜଣ, ବିହାର , ଆସାମ , ଓଡ଼ିଶା ଓ ଗୋଆରେ ଜଣେ ଲେଖାଏ ବ୍ଲାକ ଫଙ୍ଗସ୍ରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି । ବ୍ଲାକ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ହିସାବ କରିଲେ ଏଯାଏ ୫,୫୦୦ ଜଣ ଲୋକ ଆକ୍ରାନ୍ତ ହୋଇସାରିଲେଣି ।


