
କନ୍ଧମାଳ, ୨୧/୦୫/୨୧ (ଜିଲ୍ଲା ଖବର) : ବେଆଇନ କ୍ଲିନିକକୁ ସିଲ କଲା ପ୍ରଶାସନ। କନ୍ଧମାଳ ଜ଼ିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ପଞ୍ଚାୟତ ଗୃହରେ ଚାଲିଥିବା ଏକ କ୍ଲିନିକକୁ ସିଲ୍ କରିଛି ସ୍ଥାନୀୟ ପ୍ରଶାସନ l କରୋନା ନିୟମ ଉଲ୍ଲଙ୍ଘନ ଏବଂ କୌଣସି ପ୍ରମାଣପତ୍ର ନଥାଇ ବେଆଇନ ଭାବେ କ୍ଲିନିକ ଚାଲିଥିବା ନେଇ ଦାରିଙ୍ଗବାଡ଼ି ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏନେଇ ତହସିଲଦାର, ଥାନା ଅଧିକାରୀ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ମିଳିତ ଭାବେ କ୍ଲିନିକ ଉପରେ ଚଢ଼ାଉ କରିଥିଲେ l
ସେଠାରୁ ବହୁ ଔଷଧ ଓ କାଗଜପତ୍ର ମଧ୍ୟ ଜବତ କାଯାଇଛି। ସେପଟେ ଚଢ଼ାଉ ବେଳେ ରୋଗୀଙ୍କ ସେବା କରୁଥୁବା ଡାକ୍ତର ଜଣକ କୌଣସି ଡାକ୍ତରୀ ପାଠ ପଢ଼ିନଥିବା ତଦନ୍ତରୁ ଜଣାପଡିଛି l ପଶ୍ଚିମବଙ୍ଗ ଅଂଚଳର ପି.କେ ସମାଜ ପାତ୍ର ନାମକ ଜଣେ ବ୍ୟକ୍ତି ଉକ୍ତ କ୍ଲିନିକରେ ଲୋକଙ୍କୁ ଜ୍ବର, ଥଣ୍ଡା କିମ୍ବା କାଶ ହେଲେ କୋଭିଡ ଟେଷ୍ଟ କରାଇବାକୁ କହିବା ପରିବର୍ତ୍ତେ ନିଜ କ୍ଲିନିକରେ ମନଇଛା ରୋଗୀଙ୍କୁ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଛି।



